-
ଆଜିଠୁ ଦେଶବ୍ୟାପୀ ‘ଜନ ଆଶୀର୍ବାଦ ଯାତ୍ରା’
-
୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ଆସନ୍ତାକାଲି (ଗୁରୁବାର) ଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ଯାଏଁ ଚାଲିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ ମଧ୍ୟ କରିବେ ।ଜନ ଆଶୀର୍ବାଦ ଯାତ୍ରା ଅବସରରେ ଆସନ୍ତାକାଲି ୨ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ନବ ୩ ଦିନିଆ ଗସ୍ତରେ ଆସୁଛନ୍ତି । ୧୯ ତାରିଖ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ୱରଠାରେ ପହଂଚିବା ପରେ ସିଧାସଳଖ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ୧୯ ତାରିଖ ସଂଧ୍ୟାରେ ରେଳ ଯୋଗେ ରାୟଗଡା ଗସ୍ତ କରିବେ ।
୨୦ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ କୋରାପୁଟ ଗସ୍ତ କରି ରାତ୍ରଯାପନ କରିବେ ।୨୧ ତାରିଖରେ ଜୟପୁର, ନବରଙ୍ଗପୁର ଦେଇ ଗସ୍ତ କରି ଭବାନୀପାଟଣାରେ ରାତ୍ରଯାପନ କରିବେ । ୨୨ ତାରିଖ ଦିନ ଶ୍ରୀ ବୈଷ୍ନବ କେସିଙ୍ଗା, ଟିଟିଲାଗଡ, କଂଟାବାଜୀ, ପାଟଣାଗଡ ଦେଇ ବଲାଙ୍ଗୀରଠାରେ ପହଂଚିବେ । ୨୨ ତାରିଖ ସଂଧ୍ୟାରେ ଶ୍ରୀ ବୈଷ୍ନବ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଂଚଳରେ ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ ।