ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରର କୋଣ ଅନୁକୋଣରେ ପରିବେଶ ଏପରି ହେବା ଉଚିତ ଯେ ଆଗନ୍ତୁକ ତୀର୍ଥଯାତ୍ରୀ ଏହି ତୀର୍ଥକ୍ଷେତ୍ରରେ ପାଦ ଦେବା ମାତ୍ରେ ନିଜକୁ ଧନ୍ୟ ମନେ କରିବେ । ଏହି ଭାବନାକୁ ଚିନ୍ତନ ଓ ମନ୍ଥନ କରି ଉତ୍କଳ ବିଦ୍ବତ୍ ପରିଷଦ ତରଫରୁ ଏକ ପ୍ରସ୍ତାବ କେନ୍ଦ୍ର ରେଳମନ୍ତ୍ରୀ ଓ ରେଲ୍ ଲ୍ୟାଣ୍ଡ ଡେଭେଲପ୍ମେଣ୍ଟ ଅଥୋରିଟିର ଚେୟାରମ୍ୟାନ୍ଙ୍କୁ ଫାକ୍ସ ଓ ଇ-ମେଲ ମାଧ୍ୟମରେ ପ୍ରେରଣ କରାଯାଇଛି । ଉକ୍ତ ପ୍ରସ୍ତାବରେ ପୁରୀ ରେଳଷ୍ଟେସନ୍ରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଶ୍ରୀଜଗନ୍ନାଥ କଳା ଓ ସଂସ୍କୃତି ଗ୍ୟାଲେରୀ ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହି କଳା ସଂସ୍କୃତି ଗ୍ୟାଲେରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍କନ୍ଦପୁରାଣ ପର୍ଯ୍ୟବେସିତ ସମସ୍ତ ବୃତାନ୍ତର ଚିତ୍ରରୂପ, ତତ୍ ସହିତ ଶ୍ରୀମନ୍ଦିରରେ ପ୍ରଚଳିତ ସମସ୍ତ ପର୍ବପର୍ବାଣୀ, ଯାନି ଯାତ୍ରା, ଶ୍ରୀକ୍ଷେତ୍ରର ଐତିହ ସ୍ଥଳର ଚିତ୍ର ଓ ଚଳଚିତ୍ର ସ୍ଥାନିତ ହେବା ସହ ମହାପ୍ରଭୁଙ୍କ ବିଭିନ୍ନ ବେଶର ପ୍ରତିକୃତି, ରଥର ବିଭିନ୍ନ ଅଂଶ, ଅନ୍ୟାନ୍ୟ କଳାକୃତି, ପୁରୀ ସାହିଯାତରେ ବ୍ୟବହୃତ ସାମଗ୍ରୀ ଆଦି ସ୍ଥାନିତ ହେଲେ ତୀର୍ଥଯାତ୍ରୀ ମାନେ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ସ୍ପଷ୍ଟଚିତ୍ର ପାଇପାରିବେ । ସଂପ୍ରତି ଭାରତ ସରକାରଙ୍କ ରେଳଲ୍ୟାଣ୍ଡ ଡେଭେଲପ୍ମେଣ୍ଟ ଅଥୋରିଟି ପୁରୀ ରେଳଷ୍ଟେସନ୍ର ଭିତ୍ତିଭୂମିର ବିକାଶ କରିବେ ବୋଲି ଯୋଜନା କରୁଥିବା ଶୁଣାଯାଉଛି । କେନ୍ଦ୍ର ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଘୋଷଣା କରିବାକୁ ଉତ୍କଳ ବିଦ୍ବ ପରିଷଦ ଆଶା ରଖିଛି ।