ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲା ଏକ ଭାତହାଣ୍ଡି ଭାବରେ ରାଜ୍ୟ ତଥା ସମଗ୍ର ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏପରିକି ବିଶ୍ଵରେ ପରିଚୟ ପାଇଛି । ବଦଳିଛି କଳାହାଣ୍ଡିର ଭାଗ୍ୟ । କିନ୍ତୁ ଦୁର୍ଭାଗ୍ୟ ଯେ, ଆଜିବି ଅବହେଳିତ ଅବସ୍ଥାରେ ପଡିରହିଛି ବିଶ୍ଵ ପରିଚିତ ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପର ଜନ୍ମଦାତ୍ରୀ । ଥୁଆମୂଳ ରାମପୁର ବ୍ଲକ ମର୍ଦିଗୁଡା ଗ୍ରାମରେ ଥିବା ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳୀ, ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଓ ଏହାର ବିକାଶ ପାଇଁ ଅଞ୍ଚଳ ବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି, ଗତ ଜାନୁଆରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ଅନେକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀକୁ ଇନ୍ଦ୍ରାବତୀ ମାଆ ସମ୍ବୋଧନ କରି ଉତ୍ପତ୍ତି ସ୍ଥଳୀ ଠାରେ ଏକ ଇନ୍ଦ୍ରାବତୀ ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ। ଏହାକୁ ସାକାର କରିବାକୁ ଯାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପରିଦର୍ଶନ କରି ନୂତନ ଭାବରେ ରୂପରେଖର ପରିବର୍ତ୍ତନ ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଥିଲେ ।
ସାଥିରେ ସ୍ଥାନୀୟ ତହସିଲଦାର ବିନୟ କୁମାର ଭୋଇ ଯାଇ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସହଯୋଗ କରିଥିଲେ । ଯାହା କି ଆଜି ବାସ୍ତବରେ ନୂତନ ଭାବରେ ରୂପରେଖ ବଦଳିବାକୁ ଯାଉଛି । ମନ୍ତ୍ରୀ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ଦିଶାରୀଙ୍କ ପ୍ରଚେଷ୍ଟାରେ ଥୁଆମୂଳ ରାମପୁର ବ୍ଳକର ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଓ କନିଷ୍ଠ ଯନ୍ତ୍ରୀ ଦଶରଥ ମାଝୀ ମର୍ଦ୍ଦିଗୁଡା ସ୍ଥିତ ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳୀକୁ ପହଞ୍ଚି ଏହାର ନକ୍ସା ପ୍ରସ୍ତୁତ କରିଛନ୍ତି । ଯାହା ବିଧାୟକ ଓ ମନ୍ତ୍ରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଥିବା ଖବର ମିଳିଛି । ଅଞ୍ଚଳ ବାସୀ ଦିର୍ଘ ଦିନର ସ୍ୱପ୍ନ ପୂରଣ ହେବ ବୋଲି ଆଶା ବାନ୍ଧିଥିବା ବେଳେ ଏହି ପ୍ରକଳ୍ପ ତୂରନ୍ତ କାର୍ଯ୍ୟକାରୀ କରାଯିବା ନେଇ ପ୍ରଶାସନକୁ ନିବେଦନ କରିଛନ୍ତି । ହେଲେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଅଛି ।