କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଏହି ଐତିହ୍ୟ ଅନୁସନ୍ଧାନରେ ମୁଖ୍ୟ ଭୂମିକା ନେଇଥିବା, ଐତିହାସିକ ଅନିଲ ଧିରଙ୍କ କହିବା ଅନୁସାରେ ମନ୍ଦିର ରୋଷଶାଳା ପଛପାଖର ଏକ ଅଳିଆ ସ୍ତୁପ ତଳୁ ପାଖାପାଖି ୨୫ରୁ ଅଧିକ ପୁରାତନ ପ୍ରତିମାର ସନ୍ଧାନ କରାଯାଇଛି। ଏହା ସହିତ ପୁରାତନ ମନ୍ଦିରର ଅନେକ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନ ଶିଳାଖଣ୍ଡ ମଧ୍ୟ ଦେଖିବାକୁ ମିଳୁଛି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୁତାବକ ଏହି ସବୁ ପୁରାତନ କୀର୍ତ୍ତିରାଜି State Archaeology Department ଦ୍ୱାରା 1999 ମସିହାରେ ମନ୍ଦିରର ପୁନଃନିର୍ମାଣ ସମୟରେ ପ୍ରଥମେ ଦୃଷ୍ଟିଗୋଚର ହୋଇଥିଲା। ପରେ ସେଗୁଡିକୁ State Museum କୁ ସ୍ଥାନନ୍ତରଣ ପାଇଁ ରୋଷଶାଳା ପଛ ପଟେ ରଖାଯାଇଥିଲା। କିନ୍ତୁ ମହାବାତ୍ୟା ପରବର୍ତ୍ତୀ କାଳରେ ସ୍ଥାନଟି ଭାଙ୍ଗିଯାଇଥିବା ଗଛପତ୍ର, ଡାଳ ଆଚ୍ଛାଦିତ ହୋଇ କାଳକ୍ରମେ ଅଳିଆ ଗଦାରେ ରୂପାନ୍ତରିତ ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏହି ସ୍ଥାନରେ ଥିବା ପୁରାତନ ଐତିହ୍ୟ ସମ୍ପର୍କରେ ସମ୍ପୁର୍ଣ୍ଣ ଭୁଲି ଯାଇଥିଲେ।
“Rediscover Lost Heritage “ସଂସ୍ଥାର ବରିଷ୍ଠ ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ସୂଚନା ଅନୁସାରେ ଅନୁସନ୍ଧାନକାରୀ ଦଳକୁ ମିଳିଥିବା ଅନେକ ପୁରାତନ କୀର୍ତ୍ତିରାଜି ମଧ୍ୟରୁ ଅର୍ଧପରାୟଣୀକ ଭଙ୍ଗୀର ଗଣେଶ ପ୍ରତିମା, ମୟୁରାସନରେ ଥିବା କାର୍ତ୍ତିକେୟ, ମହିଷାମର୍ଦ୍ଦିନୀ ଦୁର୍ଗା, ସପ୍ତଫେଣା ବିଶିଷ୍ଟ ନାଗକନ୍ୟା ମନୀଷା, ଅଳସକନ୍ୟା ଓ ନର୍ତ୍ତକୀ ଶୋଭିତ ଏକ ବିଶାଳ ପ୍ରସ୍ତର ଖଣ୍ଡ, ନର ବିଡାଳ ମୂର୍ତ୍ତି, ବୃଷଭ, ଦେଉଳଚାରିଣୀ ମୂର୍ତ୍ତି ଉଲ୍ଲେଖଯୋଗ୍ୟ। ଏହା ସହିତ ତାମ୍ର ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଭଗବାନ ଶିବଙ୍କର ଏକ ସୁନ୍ଦର ମୁଖା ମଧ୍ୟ ପ୍ରାପ୍ତ ହୋଇଛି। ମୁଖାଟିକୁ ବାଦ ଦେଲେ ପ୍ରସ୍ଥର ନିର୍ମିତ ଅନ୍ୟ ସମସ୍ତ କୀର୍ତ୍ତିରାଜିର ଆନୁମାନିକ ନିର୍ମାଣ ସମୟ ୮ମ ରୁ ୧୨ଦଶ ଶତାବ୍ଦୀ ମଧ୍ୟରେ ହୋଇପାରେ ବୋଲି ଶ୍ରୀ ନାୟକ ମତପ୍ରକାଶ କରିଛନ୍ତି।
ଏହି ଅନୁସନ୍ଧାନକାରୀ ଦଳରେ Conservation Architect ଆଲୌକିକା ମହାନ୍ତି, ଦଳର ଅନ୍ୟ ସଦସ୍ୟ ଶୁଭାଶିଷ ଦାଶ, ସୁମନ ପ୍ରକାଶ ସ୍ୱାଇଁ ଓ ସୀତାକାନ୍ତ ମିଶ୍ର ମଧ୍ୟ ସାମିଲ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଏହି ଅନୁସନ୍ଧାନକାରୀ ଦଳ କିଛି ଦିନ ପୂର୍ବେ ଲାଉଡଙ୍କିରୁ ପ୍ରାୟ ୨କିଲୋମିଟର ଦୂର ବିରପୁରୁଷୋତ୍ତମପୁର ଗ୍ରାମରୁ ଏକ ଗୁପ୍ତ ସମୟର ପୁରାତନ ମନ୍ଦିର ଠାବ କରିଥିଲେ ।
ଶ୍ରୀ ଧୀର କହିଛନ୍ତି ଯେ, ପୁରାତନ ପ୍ରାଚୀ ଉପତ୍ୟକାର କୀର୍ତ୍ତିରାଜି ପରି ରତ୍ନଚୀରା ନଦୀ ଉପତ୍ୟକାରେ ମଧ୍ୟ ଅଗଣିତ ଐତିହାସିକ କୀର୍ତ୍ତିରାଜି ଅଜଣା-ଅଚିହ୍ନା ତଥା ଅବହେଳିତ ଅବସ୍ଥାରେ ରହିଛନ୍ତି। ପ୍ରାଚୀ ନଦୀ ପରି ରତ୍ନଚିରା ମଧ୍ୟ ଆଜି ଏକ ମୃତପ୍ରାୟ ନଦୀ। ପୁରାଣ ଅନୁସାରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ତୃଷ୍ଣା ନିବାରଣ ପାଇଁ ରତ୍ନଚିରା ନଦୀକୁ ସୃଷ୍ଟି କରିଥିଲେ । ଏହି ନଦୀର ଉଭୟ କୂଳରେ ଅନେକ ପୌରାଣିକ ଲୋକକଥା ଓ କିମ୍ବଦନ୍ତୀ ଆଧାରରେ ଐତିହାସିକ ସ୍ଥାନ ତଥା କୀର୍ତ୍ତିରାଜି ନିର୍ମିତ ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ମନ୍ଦିର ସନ୍ନିକଟ ସ୍ଥାନଗୁଡିକର ଉପଯୁକ୍ତ ସର୍ବେକ୍ଷଣ କରିବାକୁ ଶ୍ରୀ ଧିର ଦାବି କରିଛନ୍ତି। ରତ୍ନଚୀରା ନଦୀ ଅବବାହିକାର ସମ୍ପୁର୍ଣ୍ଣ ୬୦କିଲୋମିଟର ବ୍ୟାପି ଅଂଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଆବଶ୍ୟକ। ପୂର୍ବରୁ ବିରପୁରୁଷୋତ୍ତମପୁରର ପୁରାତନ ମନ୍ଦିରର ଅନୁସନ୍ଧାନ ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ତାଙ୍କ ପ୍ରତିନିଧି ଦଳ ସହିତ ସ୍ଥାନଟିକୁ ଯାଇଥିଲେ ଓ ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ।