ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀରୁ ପାଇପ୍ ଯୋଗେ ଭଦ୍ରକକୁ ପାଣି ନେବାକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତିର କାର୍ଯ୍ୟକର୍ତା ମାନେ ଆଜି ଆନ୍ଦୋଳନର ଡ଼ାକରା ଦେଇଥିଲେ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜକନିକା ବ୍ଲକର ବାଳକାଟି, ବରୁଣାଡ଼ିହା ଓ ଭାରିଗଦାରେ ୧୪୪ ଧାରା ଜାରୀ କରାଯିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ମାଜିଷ୍ଟ୍ରେଟ ସ୍ଥିତି ଉପରେ ନଜର ରଖିଛନ୍ତି । ଏହା ବ୍ୟତୀତ ୧୦ ଜଣ ଆଇଆଇସି, ୨ ଜଣ ଏସଡ଼ିପିଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।
ପ୍ରକାଶ ଥାଉ କି, ଏହି ପାଇପ୍ ବିଛା କାମକୁ କରିବାକୁ ଥିବା କମ୍ପାନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ୨ରୁ ୩ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ଯାହାକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତିର କାର୍ଯ୍ୟକର୍ତା ମାନେ ଗତକାଲି ସଂନ୍ଧ୍ୟାରେ ଗଡ଼ଗଡ଼ି ପୋଲ ନିକଟରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରିଥିଲେ ଏବଂ ଆନ୍ଦୋଳନର ଡ଼ାକରା ଦେଇଥିଲେ । ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ଆଜି ସକାଳୁ ଘଟଣାସ୍ଥଳରେ ୧୪୪ ଧାରା ଜାରୀ କରିଛି । ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।