ଓଡ଼ିଶା ଟେଣ୍ଟ, କ୍ୟାଟରର, ପୁଷ୍ପସଜା, ଆଲୋକ ଏବଂ ଶବ୍ଦ ପ୍ରକରଣର ସଂଘ ସମୂହ ତରଫରୁ ଏକ ଲିଖିତ ସ୍ମାରକ ପତ୍ର ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି |ସୂଚନା ଅନୁସାରେ ଓଡ଼ିଶା ସରକାରଙ୍କର କୋଭିତ୍-୧୯ ସଂକ୍ରମଣକୁ ସାମ୍ନା କରିବା ଯେଉଁ ଉପଯୁକ୍ତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି, ତାକୁ ହୃଦୟର ସହିତ ସଂଘ ସ୍ୱାଗତ କରିଛି ।
ଅନ୍ୟ ପକ୍ଷରେ ଏହି ପରିସ୍ଥିତି ପ୍ରଭାବରୁ ଦୀର୍ଘ ଦିନ ଧରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ଭାବରେ ଉପରୋକ୍ତ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିବା ଯୋଗୁଁ ସମ୍ପୂର୍ଣ୍ଣ ଭାବେ ତତ୍ ସମ୍ବନ୍ଧୀୟ ଆମର ବ୍ୟବସାୟ ବନ୍ଦ ହୋଇଯାଇଛି ।
ପ୍ରତିକ୍ରିୟା ସ୍ବରୂପ ଏ ବ୍ୟବସାୟ ସହିତ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ଓଡ଼ିଶାର ପ୍ରାୟ ୧୨ ଲକ୍ଷ ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡ଼ିଛି । ସଂପ୍ରତି ସରକାରୀ ନିୟମ ଅନୁସାରେ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫ଜଣ ବ୍ୟକ୍ତି ଯୋଗ ଦେଇପାରିବେ ।କରୋନା ସଂକ୍ରମଣ କମୁଥିବାର ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇଥିବାବେଳେ ବିବାହ, ବ୍ରତ, ଶୁଦ୍ଧଘର ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଅଦ୍ୟାବଧୂ ଏହି ନିୟମରେ କୌଣସି କୋହଳ କରାଯାଉନାହିଁ ।ସଂଘ ତରଫରୁ କୁହାଯାଇଛି ଯେ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକମ୍ରରେ ଅନ୍ୟୁନ ୩୦୦ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ପ୍ରଦାନ କରାଗଲେ ଆମ ଜୀବିକା ନିର୍ବାହ ଓ ଜୀବନ ଧାରଣାର ରାସ୍ତା ସୁଗମ ହୁଅନ୍ତା ବୋଲି ସଙ୍ଘର ସମ୍ପାଦକ ରାଜେଶ ପଥାଳ ଉଲ୍ଲେଖ କରିଛନ୍ତି |