ଗଞ୍ଜାମ – ଜିଲ୍ଲାର ଶେରେଗଡ଼ ବ୍ଲକ ଧରାକୋଟ ଥାନା ଅନ୍ତର୍ଗତ କୁଲାଗଡ଼ ପଚାଂୟତର ବାଦଗଡ଼ ଗ୍ରାମରେ ଗତକାଲି ରାତିରେ ବାବୁ ପ୍ରଧାନ ନାମକ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ । କେତେକ ଦୁର୍ବୃତ ତାଙ୍କୁ ଖଣ୍ଡା ଓ କାତି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିବାରେ ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଶେରେଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ବାବୁଙ୍କ ମୁଣ୍ଡ, ଦୁଇ ହାତ, ଦୁଇ ଗୋଡ, ପେଟ ଓ ପିଠିରେ ୨୦ ରୁ ଅଧିକ ଖଣ୍ଡା ଚୋଟ ଓ କାତି ଚୋଟ ଦେଖିବାକୁ ମିଳିଛି । ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧରାକୋଟ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୃତ ବାବୁ ପ୍ରଧାନ ହେଉଛନ୍ତି ୨୦୦୭ ମସିହା ପଚାଂୟତ ନିର୍ବାଚନରେ ପରାଜିତ ସରପଂଚ ପ୍ରାର୍ଥିୀ ଝିଲି ପ୍ରଧାନଙ୍କ ସ୍ୱାମୀ । ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି । ଘଟଣାକୁ ନେଇ ଗାଁରେ ଚାପା ଉତେଜନା ଲାଗି ରହିଛି ।