ସଦର ବ୍ଲକ ଅନ୍ତର୍ଗତ ହନ୍ତୁକ ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ସ୍ଵତନ୍ତ୍ର ତଦନ୍ତ ଦାବିକରି ୧୭ଜଣ ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଛନ୍ତି । ସ୍ଵତନ୍ତ୍ର ସମୀକ୍ଷା ପାଇଁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ପାଇ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଟିଏ ଗ୍ରାମ ପଞ୍ଚାୟତକୁ ନେଇ ହନ୍ତୁକ ସେବା ସମବାୟ ସମିତି ରହିଛି । ସମିତି ସମ୍ପାଦକଙ୍କ ଅବହେଳା ଏବଂ ଦୁର୍ନୀତି ଯୋଗୁଁ ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୨୦୧୩ ଫାଇଲିନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ଖରିଫ ଚାଷରେ ୬୦% ଶସ୍ୟ ବୀମା ଛାଡ କରିଥିଲେ । ସମିତି ଅଧୀନରେ ଥିବା ୭ ଶହ ଚାଷୀଙ୍କୁ ବୀମା ଛାଡ ହେବାକଥା କିନ୍ତୁ ସମ୍ପାଦକ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ବହି ନଦେବାରୁ ବହୁ ଲୋକ ସେଥିରୁ ବଞ୍ଚିତ ହୋଇଥିଲେ । ଏହାଛଡା ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଶ୍ରୀକ୍ଷେତ୍ର ଶାଖାରୁ ୬୬ଲକ୍ଷ ଟଙ୍କା ନେଇ ନିଜଘରେ ସେ ବାଣ୍ଟିବା ସହ ଏଥିପାଇଁ କେତେକ ଚାଷୀଙ୍କ ଠାରୁ ୨ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗର ତଦନ୍ତ ପାଇଁ
ସମବାୟ ସମିତି ଉପନିବନ୍ଧକ ନିର୍ଦ୍ଦେଶ ଦେଇଥିଲେ।
ସମିତି ସମ୍ପାଦକ ଓ ସଭାପତି ସେଥିରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ସମିତିରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ, ଦୁର୍ନୀତିରେ ସଂପୃକ୍ତଥିବା କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ,ଫାଇଲିନ ସହାୟତା ବଣ୍ଟନ ସମୟରେ ଲାଞ୍ଚ ଆଦାୟ ଘଟଣାର ତଦନ୍ତ, କ୍ଷତିଗ୍ରସ୍ତ ଜମି ମାଲିକ ଓ ଚାଷୀଙ୍କୁ କ୍ଷତିପୂରଣ, ସମିତି ମାଧ୍ୟମରେ ଚାଷୀ, ଭାଗଚାଷୀ ଏବଂ ମହିଳା ଗୋଷ୍ଠୀଙ୍କୁ ଦିଆଯାଇଥିବା ରଣ ତାଲିକା ପ୍ରକାଶ କରାଯିବା ସହ ଧାନ କିଣାରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଅବିନାଶ ମିଶ୍ର, ସୁଶାନ୍ତ ଜେନା, ବାବିନା ଜେନା, ସୁଦର୍ଶନ ସ୍ବାଇଁ, ଇନ୍ଦ୍ରମଣି ପ୍ରଧାନ, ଜଗନ୍ନାଥ ଖଟେଇ, କୈଳାସ ଜେନା, ଧଡିଆ ନାୟକ, ସଞ୍ଜୟ ପ୍ରଧାନ, କାକୁ ଜେନା, ପର୍ଶୁରାମ ସାହୁ, ଗୋଲକ ବିହାରୀ ପ୍ରଧାନ ଦାବି କରିଛନ୍ତି |ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସାକ୍ଷାତ କରି ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି।