ବେଲଗୁଣ୍ଠା,ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି I କିନ୍ତୁ ତୃଣମୂଳସ୍ତରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଅଭାବ ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ଜଣା ପଡ଼ିବ I ଆଜି ଏନେଇ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତ 2020 ମସିହା ଠାରୁ ସମସ୍ତ ତିନୋଟି ଯାକ ଏବିଇଓ ପଦବୀ ଖାଲି ପଡ଼ିଥିବାରୁ ବିଆରସିସି ମାଧ୍ୟମରେ ଦରମା ପାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୀର୍ଘ ପାଞ୍ଚ ମାସ ହେବ ଦରମା ପାଇ ନାହାନ୍ତି I ସେହି ପରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଷ୍ଠା ତାଲିମ୍ ର ପ୍ରାପ୍ୟ ପାଇ ନାହାନ୍ତି I କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ପଦବୀ ସହ କନିଷ୍ଠ କିରାଣୀ ପଦବୀ ଖାଲି ପଡ଼ିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ୟା ଦେଖାଦେଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇ- ସେବା ପୁସ୍ତିକା କାର୍ଯ୍ୟ ସରିବା ନେଇ ସନ୍ଦେହ ଦେଖା ଦେଇଛି I ଦୀର୍ଘ ଚାରି ବର୍ଷ ହେବ ଏମ୍ଆଇଏସ୍ କୋଅର୍ଡିନେଟର ପଦବୀ ଖାଲି ପଡ଼ିଥିବାରୁ କମ୍ପ୍ୟୁଟର୍ ଡାଟା ସମ୍ପର୍କିତ କାର୍ଯ୍ୟକ୍ରମରେ ସମସ୍ୟା ଉପୁଜୁଛି I 2020 ମସିହାରୁ କାର୍ଯ୍ୟାଳୟର ପିଅନ୍ ପଦବୀ ଖାଲି ଥିବା ଯୋଗୁଁ କାର୍ଯ୍ୟାଳୟର ଆନୁଷଙ୍ଗିକ କାର୍ଯ୍ୟ ହୋଇପାରୁନାହିଁ I
ସେହିପରି ଶିକ୍ଷକ ମାନଙ୍କ ଦରମା କରାଇବା ପାଇଁ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ କମଳ ଲୋଚନ ଦୋରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମୌଖିକ ଆଦେଶରେ ସହଯୋଗ କରୁଛନ୍ତି I କିନ୍ତୁ କୌଣସି ସମୟରେ ସେ ଆସି ନପାରିଲେ ଶିକ୍ଷକଙ୍କ ଦରମା ହୋଇପାରୁନାହିଁ I ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ବେଲଗୁଣ୍ଠା ସହିତ ବୁଗୁଡ଼ା ଏବଂ ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବାରୁ ବେଲଗୁଣ୍ଠା ଶିକ୍ଷା ବିଭାଗକୁ ପର୍ଯ୍ୟାପ୍ତ ସମୟ ଦେଇ ପାରୁନାହାନ୍ତି I ତେଣୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଉପରୋକ୍ତ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ କରିବା ପାଇଁ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଳା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଆଜି ସ୍ମାରକପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଶଙ୍ଖନାଦ ସେନାପତି,ଉପସଭାନେତ୍ରୀ ସନ୍ଧ୍ୟାରାଣୀ ପାଢୀ,ସମ୍ପାଦକ ବାଳକୃଷ୍ଣ ସାବତଙ୍କ ସମେତ ସଂଘର କର୍ମକର୍ତ୍ତା ନୀଳକଣ୍ଠ ନନ୍ଦ, ଅଶୋକ କୁମାର ବେହେରା, ସନ୍ତୋଷ କୁମାର ପଟ୍ଟନାୟକ,ବସନ୍ତ କୁମାର ଗୌଡ଼, ସୂର୍ଯ୍ୟ ଗୌଡ଼,ବି ବଲରାଜ୍ ଆୟଙ୍ଗାର, ଅତୁଲ୍ୟ କୁମାର ସାହୁ,ସୁବ୍ରତ ପାତ୍ର, ସୁଜାତା ପଟ୍ଟନାୟକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ