-
ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା, ସତ ଲୁଚାଇବା ପାଇଁ କୃତ୍ରିମ ପାର୍କ
-
ଡ଼୍ରେନେଜ ବିଭାଗ ଦଳ କଢାରେ ଲକ୍ଷ ଲକ୍ଷ ଟଙ୍କା ବରବାଦ୍
ନଦୀପଠା ପାଲଟିଛି ଶାଗ ପଟାଳି :-ନଦୀ ପଠାକୁ ମାଡ଼ିବସି ଅନେକ ଝୁପୁଡ଼ି ବସ୍ତି ଗଢି ଉଠିଛି । ସେମାନଙ୍କ ଘର ପଛପଟେ ନଦୀ ପଠାରେ ଶୁନୁ ଶୁନିଆଁ ଶାଗ, କଳମ ଶାଗ, ମନ୍ଦରଙ୍ଗ ଶାଗ, ଖଡ଼ା ଶାଗ, ଲେଉଟିଆ ଶାଗ ପଟାଳି କରି ଶାଗ ଉପାଡ଼ି ସହରରେ ବିକ୍ରି କରୁଛନ୍ତି । କେତେକ ବାସିନ୍ଦା ନଡ଼ିଆ ଗଛ, କଦଳୀ ଗଛ, ଅମୃତଭଣ୍ଡା ଗଛ ନଦୀ ଭିତରେ ଲଗାଇ ପୋତି ସାରିଲେଣି । ଶାଗ ପଟାଳିରେ ବିଭିନ୍ନ କୀଟନାଶକ ଔଷଧ ଓ ସାର ପିଡ଼ିଆ ବ୍ୟବହାର ଯୋଗୁଁ ନଦୀ ପାଣି ପ୍ରଦୂଷିତ ହୋଇ ଗଲାଣି ।ହୁଳୁହୁଳିଆ ପୋଲ ତଳେ ପାଣି ଯାଉନି- ବାଟ ପାଉନି :-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନଦୀକୁ ଖୋଳାଯାଇ ବର୍ଷକ ଯାକ କାଚ ପରି ପାଣି ରଖିବା ପାଇଁ ଯୋଜନା ହୋଇଥିଲା । ହେଲେ ପାଣି କେବଳ ବର୍ଷା ଦିନେ ଆସୁଛି । ଏବେ ହରେକୃଷ୍ଣପୁର ସମଗରା ମୌଜାରୁ ପାଣି ହୁଳହୁଳିଆ ପୋଲ ନିକଟକୁ ଆସିବାକୁ ବାଟ ପାଉନି । ଗହୀର ମଝି ବିଲରେ ଚାରି ମହଲା ବିଶିଷ୍ଟ କଲେଜ ଗୃହ ଓ କେତେକ ବ୍ୟକ୍ତି ବିଲ ଜମିରେ ବାସଗୃହ କରିବା ଯୋଗୁ ପାଣି ପୋଲ ନିକଟକୁ ଆସି ପାରୁ ନଥିବା ଦେଖିବାକୁ ମିଳୁଛି ।ପଡ଼ିରହିଛି ପଙ୍କକଢା ମେସିନ :-ନଦୀକୁ ନଶୁଖାଇ ପଙ୍କ କାଢିବା ପାଇଁ ପ୍ରସ୍ତୁତ ହୋଇଥିଲା ଯୋଜନା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଜାହାଜ ପରି ମେସିନ ମୂଷାନଦୀରେ ଫିଟିଙ୍ଗ କରାଯାଇ ପଙ୍କ କଢାଯାଇଥିଲା । ଦୀର୍ଘ ଚାରିବର୍ଷ ଧରି ପଙ୍କରେ ପଡ଼ିଛି । କାମ ସରୁନି କି ମେସିନ୍ ଉଠି ପାରୁନାହିଁ । ମେସିନ ଭଡ଼ା ବାବଦରେ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ନଦୀରୁ ଯେତିକି ପଙ୍କ ମେସିନ କାଢିଥିଲା ତାହା ପୁଣି ଭର୍ତି ହୋଇଗଲାଣି ।
ଗୋଦରା କୋଢେଇ ଯେତିକି ମାଡ଼ଇ ସେତିକି ନ୍ୟାୟରେ ପଙ୍କ କଢା ଚାଲିଛି ।ଜଳକା ପାଲଟିଛି ଜଳନିକାଶ ସଂସ୍ଥା :-ପୁରୀ ଜଳ ନିକାଶ ସଂସ୍ଥା ମହା ଯୋଜନା କରି ମୃତ ମୂଷାନଦୀକୁ ପାଣି ଭର୍ତିକରି ଚଳଚଂଚଳ କରିବା ସହ ମଙ୍ଗଳା ନଦୀକୁ ଭସଭସ ପାଣି ଛାଡ଼ିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତି କରିଥିଲା । ହେଲେ ୪ ବର୍ଷ ହେଲାଣି ପାଣି ଯାଉନି କି ଦଳ ସଫା ହେଉନି । ଦିନରେ ଜଳ ନିକାଶ ସଂସ୍ଥା ଜଳକା ପାଲଟିଛି ବୋଲି ସ୍ଥାନୀୟ ଅଂଚଳବାସୀ କହୁଛନ୍ତି । ବ୍ଲୁପ୍ରିଂଟରେ ୮ଫୁଟ ଗଭିରତାର ନଦୀ ଖୋଳାଯାଇ ପାଣି ଗଚ୍ଛିତ ରଖାଯିବା ପାଇଁ ଯୋଜନା ହୋଇଥିଲା । ପର୍ଯ୍ୟଟକମାନେ ନଦୀରେ ବୋଟିଂ କରିବେ । ଜଳ କ୍ରିଡ଼ା କରିବେ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବେ । ହେଲେ ସବୁ ଯୋଜନା ଫେଲ ମାରିଥିବା ବେଳେ କେବଳ ରାସ୍ତା ପାଶ୍ୱର୍ରେ କିଛି ମାଙ୍କଡ଼ା ପଥର ସାଇଜ କରାଯାଇ ପଡ଼ିରହିଛି । ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କୁ କାମ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡ଼ିଥିବା ସହରରେ ଆଲୋଚନା ହେଉଛି ।ପ୍ରଭାବ ବିସ୍ତାର କରୁଛି କଲିକତି ଦଳ :-ମୂଷା ନଦୀର କଲିକତି ଦଳକୁ ସଫା କରିବା ପାଇଁ ଯେତେ ଯୋଜନା ହେଉଛି ସବୁ ଫେଲ୍ ମାରୁଛି । କିଛି କେରଳି ଶ୍ରମିକ ଦଳ କଢିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଦଳ କାଢିଥିଲେ । ୩ ମାସ ପରେ ପୁଣି ଦଳ ମାଡ଼ିଗଲା । ପରେ ଠିକାଦାର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଶ୍ରମିକଙ୍କୁ ଲଗାଇ ଦଳ ସଫା କରିଥିଲେ । ତାହା ପୁଣି କିଛି ଦିନ ପରେ ଦଳ ମାଡ଼ିଗଲା । ଦଳରେ ଔଷଧ ସ୍ପ୍ରେ କରାଗଲା । ସେଥିରେ ଦଳ ମଲାନାହିଁ । ଯେତେ ବ୍ୟବସ୍ଥା କରାଯାଉଛି ଦଳ ନିର୍ମୂଳ ହୋଇ ପାରୁନଥିବା ଆଲୋଚନା ହେଉଛି ।