
ସାକ୍ଷିଗୋପାଳ, କୋଭିଡ଼୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜିଠୁ ଖୋଲିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳର ପ୍ରସିଦ୍ଧ ସାକ୍ଷିଗୋପାଳ ମନ୍ଦିର । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସହ ସାକ୍ଷି ଗୋପୀନାଥ ଓ ମା ରାଧା ରାଣୀଙ୍କ ଦର୍ଶନ କରୁଛନ୍ତି । ମନ୍ଦିର ମଧ୍ୟକୁ ଭୋଗ ସାମଗ୍ରୀ, ଧୂପ, ଫୁଲ ଆଦି ନେବାକୁ ବାରଣ କରାଯାଇଛି । ସେହିପରି ମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ଛୁଇଁ ପାରିବେ ନାହିଁ ଭକ୍ତ । ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାନୀୟ ଶ୍ରଦ୍ଧାଳୁ, ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ମାନେ ସାକ୍ଷିଗୋପାଳଙ୍କ ଦର୍ଶନ କରି ବେଶ୍ ଖୁସି ଜାହିର୍ କରିଛନ୍ତି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ପ୍ରତିଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ ।
ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ ଓ ବେଶ ପୂର୍ବାହ୍ନ ୯ଟା ସୁଦ୍ଧା ସମ୍ପନ୍ନ ହୋଇଛି । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଆଦି ନୀତି ସମ୍ପନ୍ନ ହୋଇଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ସେବାୟତ ମାନେ ସେବା ପୂଜା ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ଖୋଲିବା ପରେ ସେବାୟତ, ସ୍ଥାନୀୟ ବ୍ୟବସାୟୀ ଓ ମନ୍ଦିର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଆଶ୍ୱସ୍ତ ହୋଇଛନ୍ତି ।ଏହା ବ୍ୟତୀତ ବରାଳ ଗ୍ରାମ ସ୍ଥିତ ବାବା ବାଲୁଙ୍କେଶ୍ୱର ମନ୍ଦିର, ବୀରଗୋବିନ୍ଦପୁର ସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣକାଳୀ ମନ୍ଦିର ଏବଂ ବ୍ଲକ୍ ଛକ ସ୍ଥିତ ବାଟ ମହାବୀର ମନ୍ଦିର ମଧ୍ୟ ଆଜି ଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଛି ।