

ଗଞ୍ଜାମ – ଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ୍ ହୋଇପଡିଛି । ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତ୍ୟେକ ସାହିର ନାଳ ଓ ରାସ୍ତା ଉପରେ ଦୁଇରୁ ତିନି ଫୁଟ୍ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି । ଗଜପତି ନଗର, ଗାନ୍ଧୀ ନଗର, ଅଶୋକ ନଗର ଓ ବ୍ରଜ ନଗର ଅଂଚଳରେ କେତେକ ଘରେ ପାଣି ପଶିଛି, ଅନେକ ଘର ପାଣି ଘେରରେ ରହିଛି । ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବ୍ରହ୍ମପୁର ବିଏମସି କମିଶନର ଶ୍ରୀ ରାଠୋର ବ୍ରହ୍ମପୁର ସହରର ବିଭିନ୍ନ ସାହି ଓ କଲୋନୀ ବୁଲି ବନ୍ୟା ପରିସ୍ଥିତିର ନିରୀକ୍ଷଣ କରିଛନ୍ତି । ଆବଶ୍ୟକ ସ୍ଥଳେ ବିପନ୍ନ ପରିବାର ମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ ଏବଂ ସେଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ୯ କୋଟି ଟଙ୍କା ବ୍ୟୟରେ ଜଳ ନିଷ୍କାସନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାଫଳରେ ଆଗକୁ ବ୍ରହ୍ମପୁର ସହରରେ ଏ ପ୍ରକାର ଦୁର୍ଦ୍ଦିନ ଦେଖିବାକୁ ପଡିବ ନାହିଁ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ବ୍ରହ୍ମପୁର ସହର ସମେତ ଆସିକା, ଭଞ୍ଜନଗର ଓ ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଫଳରେ ଜିଲ୍ଲାରେ ହଜାର ହଜାର ହେକ୍ଟର ଧାନ, ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ନଷ୍ଟ ହୋଇଛି ।
ଲଗାଣ ବର୍ଷା ଫଳରେ ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତାର ବୁଦେ୍ଧଶ୍ୱର ନିକଟସ୍ଥ ପୋଚକା ନାଳ ଉପରେ ନିର୍ମିତ ରାସ୍ତା ଧୋଇଯାଇଛି । ଫଳରେ ଆସିକା-ଦିଗପହଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଧୋଇଯିବାରୁ ଆସିକାରୁ ଦିଗପହଣ୍ଡି, ସାନଖେମୁଣ୍ଡି, ପାଟପୁର, ତପ୍ତପାଣି, ମୋହନା, ଚନ୍ଦ୍ରଗିରି ଆଦି ଅଂଚଳକୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି ।
ପ୍ରକାଶ ଥାଉ କି, ଗତ ଦୁଇ ମାସ ତଳେ ଲଘୁଚାପଜନିତ ଲଗାଣ ବର୍ଷାରେ ବୁଧେଶ୍ୱର ନିକଟସ୍ଥ ପୋଚକା ନାଳ ଉପରେ ଥିବା ବ୍ରିଟିଶ ଅମଳର ପୋଲ ଧୋଇ ହୋଇଯାଇଥିଲା । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସେଠାରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ଏବେ ସେହି ରାସ୍ତାଟି ମଧ୍ୟ ଧୋଇଯାଇଛି । ସେହିପରି ଘୋଡ଼ାହାଡ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗି ଥିବାରୁ ତଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି । ତେବେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ଶିକ୍ଷାନୁଷ୍ଠାନ ଓ ଅଙ୍ଗନାବଡ଼ି କେନ୍ଦ୍ରରେ ଉପସ୍ଥିତ ରହିଥିଲେ । ଆଗକୁ ବର୍ଷା ବଢିବାର ସମ୍ଭାବନା ଥିବାରୁ ବ୍ରହ୍ମପୁରର ସହରର ଜଳବନ୍ଦୀ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଓ ଦମକଳ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟ ସହରର ବିଭିନ୍ନ ଜଳବନ୍ଦୀ ଅଂଚଳ ପରିଦର୍ଶନ କରି ଲୋକଙ୍କୁ ଆଶ୍ୱାସନା ଦେଉଛନ୍ତି । ତୁରନ୍ତ ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।