ରାଷ୍ଟ୍ରପତି କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ରାଷ୍ଟ୍ରପତି କୋବିନ୍ଦ ଅଗଷ୍ଟ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁ ଗସ୍ତରେ ରହିବେ । ସେ ୨ ତାରିଖରେ ଚେନ୍ନାଇରେ ମଦ୍ରାସ ବିଧାନସଭାର ୧୦୦ ତମ ବର୍ଷ ସ୍ମରଣଉତ୍ସବକୁ ସମ୍ବୋଧିତ କରିବେ ଏବଂ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ପ୍ରତିମୂର୍ତି ଉନ୍ମୋଚନ କରିବେ । ୧୯୨୧ ରେ ମଦ୍ରାସ ବିଧାନସଭାର ପ୍ରତିଷ୍ଠା ହୋଇଥିଲା । ବର୍ତମାନ ଏହା ତାମିଲନାଡ଼ୁ ବିଧାନସଭା ନାମରେ ଜଣାଯାଏ ।
ସେହିପରି ଅଗଷ୍ଟ ୪ ତାରିଖରେ ୱେଲିଙ୍ଗଟନରେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଗସ୍ତ କରିବେ ଏବଂ ୭୭ତମ ଷ୍ଟାଫ୍ କୋର୍ସର ଛାତ୍ର ଅଧିକାରୀ ମାନଙ୍କୁ ସମ୍ବୋଧିତ କରିବେ ।ଏଠାରେ ଉଲ୍ଲେଖଯୋଗ୍ୟ, ଏମକେ ଷ୍ଟାଲିନ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଗତ ଜୁଲାଇ ୧୯ ରେ ଦ୍ୱିତୀୟ ଥର ପାଇଁ ନୂଆଦିଲ୍ଲୀ ଗସ୍ତ କରି ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିବା ସହ ତାଙ୍କୁ ମଦ୍ରାସ ବିଧାନସଭାର ଶତାବ୍ଦୀ ସମାରୋହରେ ସାମିଲ୍ ହେବାକୁ ନିମନ୍ତ୍ରଣ କରିଥିଲେ ଏବଂ ଡିଏମକେ ନେତା ଏମ୍. କରୁଣାନିଧିଙ୍କ ପ୍ରତିମୂର୍ତି ଉନ୍ମୋଚନ ପାଇଁ ଅନୁରୋଧ କରିଥିଲେ । ରାଷ୍ଟ୍ରପତି କୋବିନ୍ଦ ଏହା ପୂର୍ବରୁ ମାର୍ଚ୍ଚ ମାସରେ ତାମିଲନାଡ଼ୁ ଗସ୍ତ କରିଥିଲେ ।