ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମରେ ଘର କାନ୍ଥ ପଡି ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି ।
ଖବର ଅନୁଯାୟୀ, ଗତକାଲି ରାତ୍ରିଭୋଜନ ସାରି ଘର ଭିତରେ ମକରା ମୁଣ୍ଡା (୫୦) ଓ ତାଙ୍କ ପତ୍ନୀ ସମ୍ବାରୀ ମୁଣ୍ଡା (୪୫) ଘରର ଜ୍ବାଇଁ ମୁନା ମୁଣ୍ଡା ଶୋଇଥିଲେ । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାତି ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ଘରର କାନ୍ଥ ଭୁଶୁଡ଼ି ପଡିଥିଲା । ଫଳରେ କାନ୍ଥ ମଧ୍ୟରେ ଚାପି ହୋଇ ମକରା ଓ ପତ୍ନୀ ସମ୍ବାରୀଙ୍କ ସହ ଜ୍ବାଇଁ ମୁନା ଗୁରୁତର ହୋଇଥିଲେ । କାନ୍ଥ ପଡ଼ି ଯିବାର ଶଦ୍ଦ ଶୁଣି ଘରର ଆର ପାଖରେ ଶୋଇଥିବା ପୁଅ କରମୁ ମୁଣ୍ଡା ନିଦରୁ ଉଠି ଘର କାନ୍ଥ ତଳେ ବାପା ମାଆ ଚାପି ହୋଇରହିଥିବାର ଦେଖିବାକୁ ପାଇଥିଲା । ସଙ୍ଗେ ସଙ୍ଗେ ପଡୋଶୀଙ୍କୁ ଡାକି କାନ୍ଥ ତଳୁ ବାପା ମା ଓ ଭିଣୋଇଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଳୟ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ବାପା ମକରା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ସମ୍ବାରୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଜ୍ବାଇଁ ମୁନାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଭଙ୍ଗା ଘରେ ବିତୁଥିଲା ଜୀବନ, ଆଜି ସେହି ଘର ନେଲା ଜୀବନ । ସରକାର ଗରିବ ଲୋକଙ୍କ ପାଇଁ ବର୍ଷ ତମାମ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ହେଲେ ସେହି ସବୁ ଯୋଜନା ଗୁଡିକ ଠିକ୍ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ହିସାବ କାହା ପାଖରେ ନାହିଁ । କେତେକ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ଗୁଡିକ ଠିକ୍ ଭାବରେ ରୂପାୟନ ହୋଇ ପାରୁନଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଅନେକ ଗରିବ ଶ୍ରେଣୀର ଲୋକ ଭୋକ ଉପାସରେ ଭଙ୍ଗା ଦଦରା ଘରେ ନିଜ ଜୀବନକୁ ବାଜି ଲଗାଇ ରହୁଛନ୍ତି । ଯାହାକୁ ନେଇ ଜଣକର ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏମିତି ଏକ ଦୁଃଖଦ ଘଟଣା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମପଞ୍ଚାୟତର ମିଶ୍ରମାଳ ଦେଖିବାକୁ ମିଳିଛି । ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୀର୍ଘଦିନ ଧରି ଭଙ୍ଗା ଦଦରା କୁଡିଆରେ ବସବାସ କରୁଥିବା ଘରେ ମକରା ମୁଣ୍ଡାଙ୍କ ଜୀବନ ଚାଲିଯାଇଛି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ମକରା ଘର ଖଣ୍ଡିଏ ପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟକୁ ଦୀର୍ଘଦିନ ହେବ ଦୌଡି ଦୌଡି ବହୁ କଷ୍ଟରେ ଘର ଖଣ୍ଡେ ପାଇଥିଲେ । ହେଲେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବସବାସ କରୁଥିବା ଭଙ୍ଗା ଘର କାନ୍ଥ ପଡ଼ି ମକରାଙ୍କ ଜୀବନ ଚାଲିଯାଇଛି । ହୁଏତ ଆଗରୁ ଯଦି ମକରାଙ୍କୁ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଘର ଖଣ୍ଡିଏ ଦିଆଯାଇଥାଆନ୍ତା ତେବେ ଆଜି ତାଙ୍କର ମୃତ୍ୟୁ ଘଟିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।