ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛନ୍ତି । କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ଗୁରୁବାର ଦିନକ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ତେବେ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡ଼ି ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
ବୁଧବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବହୁ ଅଂଚଳ ଜଳମଗ୍ନ ହୋଇଯାଇଛି । ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା. କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଛି । କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିବାକୁ କୁହାଯାଇଛି ।