-
ରସଗୋଲା ଦେଇ ମା ଲକ୍ଷ୍ମୀଙ୍କ ମନ ଜିଣିଲେ କାଳିଆ ଠାକୁର
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପବିତ୍ର ରଥଯାତ୍ରାର ଶେଷ ନୀତି ହେଉଛି ନୀଳାଦ୍ରି ବିଜେ|ଏହି ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିଥିଲା ଅନୁମତି । ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହୋଇ ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରଲାଗି ନୀତି ଅନୁଷ୍ଠିତ ହୋଇଥିଲା ।ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇ ଓ ଅଖଣ୍ଡ ବଇଠା ବସିଥିଲା ।ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥିଲେ।
ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଛି। ପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିଛନ୍ତି |ମାଆ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିଥିଲା ।
ଆସନ୍ତା କାଲି ଠାରୁ ନୀଳାଞ୍ଚଳ ଅଭଡ଼ା ଭକ୍ତମାନଙ୍କୁ ମିଳିବ| ନୀଳାଦ୍ରି ବିଜେ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଡିଜିଟାଲ ଶିଳ୍ପୀ ରାକେଶ ଡିଜିଟାଲ ଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା ମହାଲକ୍ଷ୍ମୀଙ୍କ ମାନଗଞ୍ଜନ କରୁଥିବା ଚିତ୍ରଣ କରି ଭକ୍ତଙ୍କୁ ଉତ୍ସର୍ଗ କରିଛନ୍ତି |