-
ପ୍ରବେଶପତ୍ର ଜାଲିଆତି ରୋକିବା ପାଇଁ ଯାଞ୍ଚ କଡାକଡି ହେବ
-
ପ୍ରବେଶପତ୍ର ଅନ୍ୟକୁ ହସ୍ତାନ୍ତର ନକରିବା ପାଇଁ ପରାମର୍ଶ -ଜିଲ୍ଲାପାଳ
ଶୃଙ୍ଖଳିତ ବାହୁଡାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।ରଥଘେର ପ୍ରବେଶପତ୍ର ହସ୍ତାନ୍ତରିକାରୀ ଏବଂ ଅପବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ସ୍ଥିର କରାଯାଇଛି । ପ୍ରବେଶପତ୍ର ଜାଲିଆତି ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯିବ।ପୁରୀ ବଡ଼ଦାଣ୍ଡକୁ ୧୦ଟି ସେକ୍ଟର କରାଯାଇଛି । ସେଠାରେ ଜଣେ ଲେଖାଏ ମାଜିଷ୍ଟ୍ରେଟଙ୍କ ସମେତ ପୁଲିସ ଅଧିକାରୀ ଉପସ୍ଥିତ ରହିବେ । ଏହାଛଡ଼ା ରଥ ନିକଟକୁ ଯାଉଥିବା ଲୋକଙ୍କ ଭିଡିଓ ଦୃଶ୍ୟ ଉତ୍ତୋଳନ କରାଯିବ । ରଥଘେର ଭିତରେ ସେବାୟତ ଏବଂ ଦାୟିତ୍ବରେ ଥିବା ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ରହିବା ପାଇଁ ଅନୁମତି ଦିଆଯିବ ନାହିଁ । ଶ୍ରୀମନ୍ଦିର ସେବାୟତମାନେ ରଥ ଟାଣିବେ । ସେମାନଙ୍କ ପାଇଁ ବଡ଼ଦାଣ୍ଡ ଦୁଇପାର୍ଶ୍ଵରେ ଆଶୁଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ବିଶ୍ରାମଗୁହ ଏବଂ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ।କୌଣସି ଅନଧିକୃତ ବ୍ୟକ୍ତି ଯେପରି ବଡ଼ଦାଣ୍ଡ କିମ୍ବା ରଥଘେରକୁ ନଯାଆନ୍ତି ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ସାହିର ପ୍ରବେଶପଥ ଗୁଡିକୁ ବନ୍ଦ କରାଯିବାକୁ ସ୍ଥିର କରାଯାଇଛି ।ବିଭିନ୍ନ କାର୍ଯ୍ୟପାଇଁ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନଠାରୁ
ନେଇଥିବା ପ୍ରବେଶପତ୍ର ଅନ୍ୟକୁ ହସ୍ତାନ୍ତର ନକରିବା ପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି ।
ଏଭଳି ଘଟଣା ଜଣାପଡିଲେ ପ୍ରବେଶପତ୍ର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ବାହୁଡାଯାତ୍ରା ଏବଂ ସୁନାବେଶ ନୀତି ପାଳନ ପାଇଁ ପାଳିଆ ସେବାୟତଙ୍କୁ ଅନୁରୋଧ କରାଯାଇଛି। ବଡ଼ଦାଣ୍ଡ ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସ୍ଵତନ୍ତ୍ର ପରିମଳ କାର୍ଯ୍ୟପାଇଁ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ବାହୁଡାଯାତ୍ରା ସମୟରେ ପ୍ରବଳ ଖରା ହେବାର ସମ୍ଭାବନା ଥିବାରୁ ଅଗ୍ନିଶମ ଓ ଜନସ୍ବାସ୍ଥ୍ୟ କର୍ମଚାରୀଙ୍କ
ଦ୍ଵାରା ଜଳ ସିଞ୍ଚନ କରାଯିବ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା କରି ରଖାଯିବ । ନିରବଚ୍ଛିନ୍ନ ବିଦ୍ୟୁତ ଆଲୋକ ଯୋଗାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଆରକ୍ଷୀ ଅଧ୍ୟକ୍ଷକ ଡଃ କନୱାର ବିଶାଲ ସିଂହ, ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ)ଅଜୟ କୁମାର ଜେନା, ପ୍ରଶାସକ (ନୀତି)ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ନାଥଶର୍ମା ଓ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।