
-
ସୋମବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁର୍ପାଶ୍ୱରେ କର୍ଫୁ
-
ଶିଳ୍ପୀଙ୍କ ଡିଜିଟାଲ ଚିତ୍ରରେ ତିନିରଥ ଦକ୍ଷିଣମୋଡ଼
-
୨୦ ତାରିଖରେ ଦାରୁବ୍ରହ୍ମଙ୍କ ବାହୁଡାଯାତ୍ରା
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଆଜି ତିନିରଥ ଦକ୍ଷିଣମୋଡ ଆରମ୍ଭ । ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସକାଳଧୂପ ପରେ ତିନିଜଣ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ରଥ ନିକଟକୁ ଆସିଥିଲେ । ତିନିରଥରେ ତାହାକୁ ଲାଗି କରାଯିବା ପରେ ରଥରେ ଦଉଡି ବନ୍ଧାଯାଇ ତିନିରଥର ଦକ୍ଷିଣମୋଡ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।ଘଣ୍ଡୁଆମାନେ ରଥଉପରେ ଘଣ୍ଟ ବଜାଇବା ସହ କାହାଳିଆ ସେବକ ବିଜେକାହାଳୀ ବଜାଇଥିଲେ | ପରମ୍ପରା ଅନୁସାରେ ସିଂହଦ୍ୱାର ସମ୍ମୁଖରେ ଥିବା ଦେବୀ ସୁଭଦ୍ରାଙ୍କ ରଥକୁ ପ୍ରଥମେ ୧୨ଟା ୧୬ ମିନିଟ ସମୟରେ ଟଣା ଯାଇ ଦକ୍ଷିଣ ମୋଡ କରାଯାଇଥିଲା |ଏହାପରେ ବଡ଼ଠାକୁର ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବାର ଵିଧି ପାଳନ କରାଯାଇଛି |ତିନିରଥର ଏହି ଦକ୍ଷିଣ ମୋଡ଼ ପରମ୍ପରାକୁ ଦତ୍ତତୋଟା ନିବାସୀ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାଶ ଏକ ଡିଜିଟାଲ ଚିତ୍ର ଅଙ୍କନ କରି ଭକ୍ତ ମାନଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି |
ରଥକୁ ପୁଲିସ କର୍ମଚାରୀ ମାନଙ୍କ ସହଯୋଗରେ ଏହି ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖା ଯାଇଥିଲା |ଆସନ୍ତା ସୋମବାର ଦିନ ବିନାଭକ୍ତରେ ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ|ସୋମବାର ନବମୀ ସନ୍ଧ୍ୟା ୮ ଟା ସମୟ ପରଠାରୁ ଦୁଇଦିନ ଧରି ରଥଯାତ୍ରା ପରି ପୁରୀ ସହରରେ କର୍ଫୁ ଜାରି ରହିବ |ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି |ଜିଲ୍ଲାପାଳ କହିଛନ୍ତି ଯେ ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ାଯାତ୍ରା ସମୟରେ ଯେପରି କୌଣସି ବ୍ୟକ୍ତି ନିୟମ ଉଲଂଘନ କରି ବଡଦାଣ୍ଡ ଦୁଇପାର୍ଶ୍ଵରେ ଥିବା କୋଠାର ଛାତ ଉପରେ କିମ୍ବା ବାଲକୋନୀରେ ରହି ଦର୍ଶନ ନକରିବେ ସେଥିପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି | ଆଗାମୀ ୨୦ ତାରିଖ ମଙ୍ଗଳବାର ଦିନ ବାହୁଡାଯାତ୍ରାରେ ଦାରୁବ୍ରହ୍ମ ତିନିରଥରେ ବିରାଜମାନ ହୋଇ ଶ୍ରୀମନ୍ଦିର ଉଦେଶ୍ୟରେ ବାହୁଡାଯାତ୍ରା କରିବେ ।