ହରିଚନ୍ଦନପୁର – ତୀର ମାଡରେ ଜଣେ ଓଏମସି କର୍ମଚାରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ମାଇନ୍ସରେ । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ଓଏମସି ମାଇନସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ବସଟି ଦୈତାରୀ ଠାରୁ – ବଳିପର୍ବତ ଅଭିମୁଖେ ଆସୁଥିବା ସମୟରେ ତାରିଣୀ ଗେଟ୍ ନିକଟରେ ବସ ଉପରକୁ ଅଜଣା ଲୋକଙ୍କ ତୀର ମାଡରେ ଜଣେ ଗୁରୁତ୍ବର ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ଯାଜପୁର ଅଞ୍ଚଳର ଉତ୍ତମ ମହାନ୍ତ ବୋଲି ଜଣାପଡିଛି । ସେ କେସିସି ଠିକା କମ୍ପାନୀ ଅଧିନରେ କାମ କରୁଛନ୍ତି । ତୀରଟି ସିଧା ଉତ୍ତମ ମହାନ୍ତଙ୍କ ପେଟରେ ବାଜି ପଶି ରହିଥିଲା । ଆହତଙ୍କୁ ସଙ୍ଗେ ସଙ୍ଗେ କଳିଙ୍ଗନଗରସ୍ଥ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ୪ଘଣ୍ଟା ଅପରେସନ୍ କରାଯାଇ ତୀରଟି ପେଟ ଭିତରୁ ବାହାର କରାଯାଇଛି । ଅନ୍ୟପକ୍ଷରେ ଉକ୍ତ ବସ ମଧ୍ୟରେ ଅନେକ ତୀର ଏବେବି ଲାଗିରହିଛି । ତେବେ ଏହି ତୀରମରାର କାରଣ ଅସ୍ପଷ୍ଟ ଥିବାବେଳେ ଏହା ୟୁନିୟନ ବିବାଦ କିମ୍ବା କିଛି ଦିନ ପୂର୍ବରୁ ହୋଇଥିବା ଜନଶୁଣାଣୀ ନେଇ ଏହିଭଳି କାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କିଛି ବର୍ଷ ପୂର୍ବରୁ ମଧ୍ୟ ଅନୁରୂପ ତୀରମାଡ ଘଟଣାର ନଜିର ରହିଛି । ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି ।
Related Stories
November 27, 2024
November 27, 2024