
ନୂଆପଡା – ୧୯୯୩ ମସିହାରେ ନୂଆପଡା ଜିଲ୍ଲା ଏକ ସ୍ୱତନ୍ତ୍ର ଜିଲ୍ଲା ପରିଚୟ ଲାଭ କଲା । ଅଭିଭକ୍ତ କଳାହାଣ୍ଡି ଜିଲ୍ଲାକୁ ୨ ଭାଗ କରାଯାଇ ସ୍ୱତନ୍ତ୍ର ନୂଆପଡା ଓ କଲାହାଣ୍ଡି ଜିଲ୍ଲା ଗଠନ କରାଗଲା । ହେଲେ ଜିଲ୍ଲା ଗଠନ ହେବାର ୨୬ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର ସ୍ଥିତି ଯେଉଁଠିକୁ ସେଇଠି ରହିଛି । ଜିଲ୍ଲାର ୱେବସାଇଟରୁ ସଂଗୃହିତ ତଥ୍ୟ ଅନୁସାରେ ନୂଆପଡା ଜିଲ୍ଲାର ଭୌଗୋଳିକ ସ୍ଥିତି ୩୪୦୮ ବର୍ଗ କିଲୋମିଟର ରହିଛି । ଏହି ଜିଲ୍ଲା ୫ ଗୋଟି ବ୍ଲକ ସିନାପାଲି, ବୋଡେନ, କୋମନା, ନୂଆପଡା, ଖଡିଆଳ ଏବଂ ୩ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଖଡିଆଳ, ଖରିଆର ରୋଡ ଏବଂ ନୂଆପଡାକୁ ନେଇ ଗଠିତ କରାଯାଇଛି । ଜିଲ୍ଲାର ମୋଟ ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୬୧୦୩୮୨ ରହିଅଛି । ଜିଲ୍ଲାର ୧,୫୨,୨୧୦ ଗୋଟି ପରିବାରରେ ୩,୦୧,୯୬୨ ଜଣ ପୁରୁଷ ଏବଂ ୩,୦୮,୪୨୦ ଜଣ ମହିଳା ବସବାସ କରୁଛନ୍ତି । ଜିଲ୍ଲାର ସର୍ବାଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ ୯୪.୪ ପ୍ରତିଶତ ଲୋକ ଗ୍ରାମାଚଂଳରେ ଏବଂ ମାତ୍ର ୫.୬ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଥିବା ଜଣାପଡିଛି । ଏହି ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ଅନେକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ରହିଯାଇଛି । ସାରା ବିଶ୍ୱରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ ହେଉଥିବା ବେଳେ ନୂଆପଡା ଜିଲ୍ଲାର ସାକ୍ଷରତା ହାର ଦେଖିଲେ ଏହି ଜିଲ୍ଲାର ବିକାଶର ସ୍ଥିତି ପରଖି ହେବ । ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାକାର ସାକ୍ଷରତା ହାର ଅତି ନଗଣ୍ୟ ରହିଛି ।
ଜିଲ୍ଲାର ୱେବ ସାଇଟରେ ଛଡା ଯାଇଥିବା ତଥ୍ୟ ଅନୁଯାୟୀ ଜିଲ୍ଲାର ମୋଟ ଜନସଂଖ୍ୟାର ୫୭.୩୫ ପ୍ରତିଶତ ଅର୍ଥାତ ୨,୯୯,୩୮୩ ଜଣ ପୁରୁଷ ଓ ମହିଳା ସାକ୍ଷର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ସାକ୍ଷରତା ହାର ୭୦.୨୯ ଅର୍ଥାତ ୧,୮୦,୯୦୩ ଜଣ ଏବଂ ମହିଳା ସାକ୍ଷରତା ହାର ୪୪.୭୬ ପ୍ରତିଶତ ଅର୍ଥାତ ୧,୧୮,୪୮୦ ଜଣ ଅଟେ । ଆଜି ମଧ୍ୟ ଜିଲ୍ଲାର ୪୨.୬୫ ପ୍ରତିଶତ ପୁରୁଷ, ମହିଲା ନିରକ୍ଷର ରହିଛନ୍ତି । ଏଠାରେ ପୁରୁଷ ନିରକ୍ଷର ୨୯.୭୧ ପ୍ରତିଶତ ରହିଥିବା ବେଳେ ମହିଳା ନିରକ୍ଷରଙ୍କ ପ୍ରତିଶତ ବୃଦ୍ଧି ପାଇ ୫୫.୨୪ ପ୍ରତିଶତ ରହିଛି । ଫଳରେ ଏଠାକାର ଲୋକଙ୍କ ନିରକ୍ଷରତା, ସରଳତାର ସୁଯୋଗ ନେଇ ଏଠାରେ ଚାକିରି କରୁଥିବା ପ୍ରଶାସନିକ ଅଧିକାରୀ, ନିର୍ବାଚିତ ରାଜନେତା ଏବଂ ଧନୀବ୍ୟକ୍ତି ଏବଂ ଠିକାଦାର ମାନେ ମାଲାମାଲ ହେଉଛନ୍ତି । ଫଳରେ ଏହି ଜିଲ୍ଲା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ଅନେକ ସବୁ ଯୋଜନା ସତ୍ୱେ ଜିଲ୍ଲାର ମାନଚିତ୍ରର ପରିବର୍ତନ ଘଟିନଥିବା ନେଇ ବୁଦ୍ଧିଜିବୀ ମହଲରେ ଅଭିଯୋଗ ହେଉଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ନୂଆପଡା ଜିଲ୍ଲା ଭଳି ଅନୁନ୍ନତ ଜିଲ୍ଲାର ବିକାଶ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଅନ୍ୟଥା ଏହି ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ଠାରୁ ଢେର ପଛେଇ ଯିବ ଏଥିରେ ସନ୍ଦେହ ନାହିଁ ।