-
ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିଭିନ୍ନ ସ୍ଥାନରେ ପିକେଟିଂ
ଗୁରୁବାର ସକାଳେ ଶତାଧିକ ସିପିଆଇ କର୍ମୀ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା, ଜୟନ୍ତ ଦାସ ଓ ବିଜୟ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ଟ୍ରେନ୍କୁ ଅଟକାଇବା ସଙ୍ଗେ ସଙ୍ଗେ ରେଳଧାରଣା ଉପରେ ବସିରହି ଅନ୍ୟାନ୍ୟ ଟ୍ରେନ୍କୁ ଅଟକାଇଥିଲେ । ଏହାପରେ ଦିବା ୧୦ଟା ସମୟରେ ମାଷ୍ଟରକ୍ୟାଂଟିନ ଛକରେ ମିଳିତ ଶୋଭାଯାତ୍ରା ଓ ପିକେଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସୁରେଶ କୁମାର ରାଉତରାୟ, ସିପିଆଇର ଆଶିଷ କାନୁନ୍ଗୋ, ରାମକୃଷ୍ଣ ପଣ୍ଡା ଓ ସୁର ଜେନା, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ଦୁଷ୍ମନ୍ତ ଦାସ ଓ ସୁରେଶ ପାଣିଗ୍ରାହୀ, ସମଜବାଦୀ ପାର୍ଟିର ସୁଦର୍ଶନ ଦାସ ଏବଂ ମାଷ୍ଟରକ୍ୟାଂଟିନ ଛକର ଅନ୍ୟ ଏକ ସ୍ଥାନରେ ସିପିଆଇ (ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ ଓ ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହାପରେ ସିପିଆଇ, ସିପିଆଇ(ଏମ୍) ଓ ସମାଜବାଦୀ ପାର୍ଟିର ନେତା ଓ କର୍ମୀମାନେ ମାଷ୍ଟରକ୍ୟାଂଟିନରୁ ଲୋୟର ପିଏମ୍ଜି ଆଡ଼କୁ ଯିବାବେଳେ ପୋଲିସ କର୍ଡନ ଭାଙ୍ଗିବାରୁ କମିଶନରେଟ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।
ଏହା ସହିତ ଏଜିଛକ, ଲୋୟର ପିଏମ୍ଜି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, କିଟ୍ ଛକ, ରେଳକୁଞ୍ଜ ସମେତ ବିଭିନ୍ନ ସ୍ଥାନରେ ବାମପନ୍ଥୀ ଦଳର କର୍ମୀମାନେ ପିକେଟିଂ କରିବା ସହିତ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ସତୀଶ ମିଶ୍ର, ବିଜୟ ମହାନ୍ତି, କୈଳାସ ପୁହାଣ, ଯୁବସଂଘର ଗୋହିଗୋବିନ୍ଦ ବେଶ୍ରା ଓ ଛାତ୍ରସଂଘର ସଂଘମିତ୍ରା ଜେନା ପ୍ରମୁଖ ପିକେଟିଂର ନେତୃତ୍ୱ ନେଇଥିଲେ ।
ଅପରପକ୍ଷରେ ବାମପନ୍ଥୀ ଦଳମାନଙ୍କର ଓଡ଼ିଶା ବନ୍ଦ ଡାକରାକୁ ବିପୁଳ ଓ ସ୍ୱତଃସ୍ଫୁର୍ତ ସମର୍ଥନ ଦେଇ ଏହାକୁ ରାଜ୍ୟ ବ୍ୟାପୀ ସମ୍ପୂର୍ଣ୍ଣ ସଫଳ କରିଥିବାରୁ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହି ବନ୍ଦକୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଙ୍ଗଠନ ସମର୍ଥନ ଜଣାଇଥିବାରୁ ସେମାନଙ୍କର ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।