ଧର୍ମଗଡ଼ – ଗ୍ୟାସ୍ ଏଜେନ୍ସୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଗତକାଲି ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେବା ଘଟଣାକୁ ନେଇ ଆଜି ଜୁନାଗଡ଼ ଥାନା ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ସ୍ଥାନୀୟ ଲୋକେ ହତ୍ୟାକାରୀକୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନଂ ଜାତୀୟ ରାଜପଥର ହାତୀ ନଦୀ ପୋଲ ଉପରେ ସକାଳ ୮ଟା ଠାରୁ ଅବରୋଧ କରିଥିଲେ । ପ୍ରାୟ ୩ ଘଂଟା ଧରି ରାସ୍ତାରୋକ ଫଳରେ ଜୟପୁର-ଭବାନୀପାଟଣା ରୁଟ୍ ରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା । ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କାଙ୍କିରିମାଳ ଗ୍ରାମର ଭୁବନେ ବୋଡକିଆ ଜୁନାଗଡ଼ ବାବୁପଡାରେ ନିଜ ଭଉଣୀ ଘରେ ରହିବା ସହ ସେଠାରେ ଥିବା ଲଙ୍କେଶ୍ୱରୀ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସୀରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ଗତକାଲି ସଂନ୍ଧ୍ୟାରେ ଗୋଦାମ ପଛପଟେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ହତ୍ୟାକାରୀକୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ବର୍ଗଙ୍କ ସହିତ ଗ୍ରାମବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ । ଅନ୍ୟପକ୍ଷରେ ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।