-
ବୃକ୍ଷ ହିଁ ଅକ୍ସିଜେନର ମୂଳ ଉତ୍ସ -ସାହା ଚାରିଟେବୁଲ ଟ୍ରଷ୍ଟ,
ସଂପ୍ରତି କରୋନା ମହାମାରୀ ସାରା ପୃଥିବୀକୁ କବ୍ଜା କରିଥିବାବେଳେ ଅକ୍ସିଜେନର ଘୋର ଅଭାବ ହସ୍ପିଟାଲ ମାନଙ୍କରେ ପରିଲକ୍ଷିତ ହେଉଛି । ଯିଏ ଅକ୍ସିଜେନର ମୂଳ ଉତ୍ସ, ତାହା ହେଉଛି ବୃକ୍ଷ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବ୍ୟାପକ ଭାବେ ବିସ୍ତାର ଏବଂ କ୍ରମବର୍ଦ୍ଧିଷ୍ଣୁ କୋଠାବାଡି ନିର୍ମାଣ ସହିତ ଓସାରିଆ ରାଜପଥର ନିର୍ମାଣରେ ହଜାର ହଜାର ଗଛ କାଟି ଦିଆଯିବା କାରଣରୁ ବାୟୁମଣ୍ଡଳରେ ଅକ୍ସିଜେନର ମାତ୍ରା ଅନେକାଂଶରେ କମିବାକୁ ଲାଗିଲାଣି। ଏହା ଆଗାମୀ ଦିନରେ ନିଶ୍ଚିତ ଭାବରେ ଏକ ଘୋର ଦୟନୀୟ ପରିସ୍ଥିତି ସୃଷ୍ଟି କରିବ, ଏହା ବିନା ଦ୍ବିଧାରେ କୁହାଯାଇପାରେ। ଏହି ବିଷୟକୁ ଗୁରୁତର ସହ ହୃଦବୋଧ କରି ଭୁବନେଶ୍ୱରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହା ଚାରିଟେବୁଲ ଟ୍ରଷ୍ଟ ସମାଜରେ ବହୁଳ ଭାବେ ବୃକ୍ଷରୋପଣ କରିବାପାଇଁ ଆଗେଇ ଆସିଛନ୍ତି। ଉକ୍ତ ଅନୁଷ୍ଠାନ ପୁରୀ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଆଗେଇ ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଜି ଗୋପ ବ୍ଲକର ନାଲିହଣା ଗ୍ରାମରେ ଟ୍ରଷ୍ଟର ପ୍ରତିଷ୍ଠାତା ଜୀବନବାବା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଦୋଳବେଦି କୋଣ, ପୁରୀର ଭାରପ୍ରାପ୍ତ ମେଡିକାଲ ଅଫିସର ଡଃ. ସୁନିଲ କୁମାର ତରାଇଙ୍କ ଜନ୍ମଦିନ ଅବସରରେ ତାଙ୍କ କରକମଳରେ ୨୫୦ରୁ ଊର୍ଦ୍ଧ୍ବ ନିମ୍ବ, କରଞ୍ଜ ଓ ନଡ଼ିଆ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ବରିଷ୍ଠ ସମାଜସେବୀ ତଥା ଯୁବ ସାମ୍ବାଦିକ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ଵାରା ପ୍ରଦତ୍ତ ନଡ଼ିଆ ଗଛ ମଧ୍ଯ ରୋପଣ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ବାହିନୀର କନେଷ୍ଟବଳ ଦୁଷ୍ମନ୍ତ ସାହୁ, ଯୁବ ସମାଜସେବୀ ରାକେଶ ପ୍ରଧାନ, ଯୁବ ସ୍ୱେଚ୍ଛାସେବୀ ସୁଶାନ୍ତ କୁମାର ନାୟକ, ଗ୍ରାମର ମୁଖ୍ୟା ଅର୍ଜୁନ ଭୋଇ, ସଭାପତି ଲକ୍ଷ୍ମୀଧର ପାଣି, ମୁରଲୀଧର ରାଉତ, ତପନ ଭୋଇ, ଗଗନ ଭୋଇ, ଗୋବିନ୍ଦ ଭୋଇ, ଗନ୍ଧର୍ବ ଭୋଇ, ଖଗୁ ଭୋଇ, ଦ୍ଵିଜ ଭୋଇ, ଓ କୈଳାସ ଭୋଇ, ସୁରଥ ଭୋଇ ଆଉ ଗ୍ରାମର ୫୦ରୁ ଉର୍ଦ୍ଧ୍ଵ ମହିଳା, ପୁରୁଷ ଏବଂ ଛୋଟ ପିଲାମାନେ ଆଗ୍ରହର ସହ ଉକ୍ତ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିଲେ। ସୂଚାରୁରୂପେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।