ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପଡି ରହିଛି । ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ନ କରିଦେଇଛନ୍ତି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି । ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫କୋଟି ଟଙ୍କା ଜଳକର ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ୍ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ ରେ ବଡ ବୃଦ୍ଧି ପାଇଁ ଦାବି କରାଯିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ୍ ପିଛା ପ୍ରଥମ ୫୦ୟୁନିଟ ପର୍ଯ୍ୟନ୍ତ ୨ଟ ୫୦ପଇସା ରହିଥିବା ବେଳେ ଦେଶର ସିକିମ, ଆନ୍ଧ୍ର, ତେଲେଙ୍ଗାନା, ଗୋଆ ଓ ଛତିଶଗଡରେ ଏହା ହାରାହାରି କମ୍ ରହିଛି । ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକମାନଙ୍କୁ ଶାସକ ଦଳର ପ୍ରତିଶୃତି ଅନୁସାରେ ମାଗଣା ବିଜୁଳି ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ମୁଖ୍ୟପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।