ଜୟପୁର – ବର୍ଷେ ନୁହେଁ କି ଦୁଇ ବର୍ଷ ଆଜିକୁ 39 ବର୍ଷ ଧରି ସମସ୍ୟା ଘେରରେ ବାନ୍ଧି ହୋଇ ରହିଛି କୋଟପାଡ଼ ମହାବିଦ୍ୟାଳୟ। ମହାବିଦ୍ୟାଳୟ ସ୍ଥାପିତ ହୋଇଛି ହେଲେ ଜମି ପଟ୍ଟା ପାଇବାରୁ ବଞ୍ଚିତ। ଭିତ୍ତିଭୂମି ଠାରୁ ଆରମ୍ଭ କରି ଅନେକ ସମସ୍ୟାରେ ସନ୍ତୁଳି ହେଉଛି ମହାବିଦ୍ୟାଳୟ। ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନଥିବା ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ଏଠାରେ ଚାଲିଛି ପାଠପଢା । ଛଅଟି ଶ୍ରେଣୀ ଗୃହରେ ଅଧ୍ୟୟନ କରୁଛନ୍ତି ୭୦୬ ଛାତ୍ର ଛାତ୍ରୀ ।
କୋରାପୁଟ ଜିଲ୍ଲା କୋଟପାଡ଼ରେ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା ଏହି ମହାବିଦ୍ୟାଳୟ। ଆଜିକୁ ୩୯ ବର୍ଷ ବିତିଯାଇଛି ହେଲେ ଆଜି ବି ଭିତିଭୂମିକୁ ନେଇ ବିବାଦ ଲାଗି ରହିଛି । ୧୦ ଏକର ଭୂମିରେ ସ୍ଥାପିତ ହୋଇଛି ହେଲେ ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟ ନାମରେ ଜମି ପଟ୍ଟା ହୋଇପାରିନାହିଁ। ସେଥିପାଇଁ ସରକାରଙ୍କ ସମସ୍ତ ଅନୁଦାନ ଖର୍ଚ୍ଚ ହୋଇନପାରି ଚାଲିଯାଉଛି। ଫଳରେ ନାନା ସମସ୍ୟାରେ ଗତି କରୁଛି ମହାବିଦ୍ୟାଳୟ। ଶେଷରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କଲେଜରେ କ୍ଲାସ ବର୍ଜନ କରି ସମସ୍ତ ଶ୍ରେଣୀ ଗୃହରେ ତାଲା ପକାଇ ହୋ ହାଲ୍ଲା କରିଥିଲେ। କୋଟପାଡ଼ ଏସଡିପିଓ ମହାବିଦ୍ୟାଳୟରେ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀ ଶାନ୍ତ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏକ ରାଲିରେ ବିଭିନ୍ନ ସ୍ଲୋଗାନ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଛାତ୍ରଛାତ୍ରୀ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଉପଜିଲ୍ଲାପାଳଙ୍କୁ ଭେଟି ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କିଭଳି ସମସ୍ୟାର ସମାଧାନ ହୋଇପାରିବ ସେ ବିଷୟରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରକଳ୍ପ ନିର୍ଦ୍ଦେଶକ। ପନ୍ଦର ଦିନ ଭିତରେ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲହାଇବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।
ଏହି ମହାବିଦ୍ୟାଳୟରେ ଜମି ବିବାଦ ଯୋଗୁଁ ସରକାରୀ କିମ୍ବା ୟୁଜିସି ଅନୁଦାନରୁ ବଞ୍ଚିତ। କୋଟପାଡ଼ ତହସିଲଦାରଙ୍କୁ ୨୦୦୮ମସିହାରେ ଆବେଦନ କରିଥିଲେ। କିନ୍ତୁ, ଆରଡ଼ିସିରେ ଅଟକିଥିବା କହିଛନ୍ତି । ଅନୁଦାନ ପ୍ରତି ବର୍ଷ ଆସୁଛି ହେଲେ ଜମି ବିବାଦ ଯୋଗୁଁ ଫେରି ଯାଉଛି । ଜମି ବିବାଦକୁ ନେଇ ୩୯ ବର୍ଷ ଧରି ସଂଘର୍ଷ ଜାରି ରଖିଛି ମହାବିଦ୍ୟାଳୟ। କେବେ ବିବାଦ ତୁଟିବ ସରକାରଙ୍କ ଅନୁଦାନ ପାଇବ ତାକୁ ହିଁ କେବଳ ଅପେକ୍ଷା।