
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ସହରରେ ବୁଲା ଗାଈଗୋରୁ ଏବଂ କୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ବହୁ ମୂଲ୍ୟବାନ ଜୀବନ ଚାଳି ଯାଉଥିବା ଦେଖିବାକୁ ମିଳିଛି । ତଥାପି ସହରରେ କାର୍ଯ୍ୟରତ ବିଜ୍ଞାପିତ ଅଞ୍ଚଳ ପରିଷଦ ଦୃଷ୍ଟି ଦେଉନାହିଁ । ଫଳରେ ସହରରେ ଦିନକୁ ଦିନ ଗାଈଗୋରୁ, କୁକୁରଙ୍କ ଉତ୍ପାତ କମିବା ବଦଳରେ ବଢିବାରେ ଲାଗୁଥିବା ଅଭିଯୋଗ ହେଉଛି । ଜିଲାର ପ୍ରମୁଖ ସହର ଖଡିଆଳ ହୋଇଥିବା ବେଳେ ଏଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଯାତାୟତ ଲାଗି ରହିଥାଏ । ଏହା ସହ ଏହି ସହର ମଧ୍ୟ ଦେଇ ରାୟପୁର-ଗୋପାଲପୁର ୩୫୩ ନଂ ଜାତୀୟ ରାଜପଥ ଯାଇଥିବାରୁ ଶହ ଶହ ସଂଖ୍ୟାରେ ଭାରୀଯାନ ଯିବାଆସିବା କରିଥାଏ । କିନ୍ତୁ ସହରର ଆମ୍ବେଦକର ଛକରୁ ଆରମ୍ଭ କରି ଥାନାଛକ, ଗୁରୁନାନକ ଛକ, ବ୍ଲକ ଛକ, ବୋଡେନ ଛକ, ମିଶନ ଛକ ମାନଙ୍କରେ ବୁଲା ଗାଈଗୋରୁ ରାସ୍ତାରେ ଶୋଇ ରହୁଥିବାରୁ ଅନେକ ସମୟରେ ବାଟୋଇଙ୍କୁ ଅସୁବିଧା ହେଉଛି । ଏହାସହ ଏମାନଙ୍କ ଦୌରାମ୍ୟ ଯୋଗୁଁ ଦୁର୍ଘଟଣାମାନ ଘଟୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ କାଞ୍ଜି ହାଉସ ନିର୍ମାଣ କରିଥିବା ବେଳେ ଏହି କାଞ୍ଜି ହାଉସ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସହରରେ ବର୍ଷ ବର୍ଷ ଧରି ବୁଲା ଗାଈଗୋରୁଙ୍କୁ ଆକଟ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାଞ୍ଜି ହାଉସରେ ରଖିବା କଥା । କିନ୍ତୁ ତାହା କାର୍ଯ୍ୟକାରୀ ହେଉନଥିବା ବେଳେ ବୁଲା ଗାଈଗୋରୁଙ୍କ ସଂଖ୍ୟା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।