କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଷାଢ଼ କୃଷ୍ଣ ତ୍ରୟୋଦଶୀ ଦିନ ପରମ ପୂଜ୍ୟ ପୁରୀ ପୀଠାଧିଶ୍ୱର ବର୍ତ୍ତମାନ ର ୧୪୫ ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କ ଜନ୍ମ ଦିନକୁ ରାଷ୍ଟ୍ରୋତ୍କର୍ଷ ଦିବସ ଭାବେ ଗୋବର୍ଦ୍ଧନ ପୀଠରେ ପାଳନ କରାଯାଇଛି । ପୂଜ୍ୟ ଜଗଦଗୁରୁ ମହାରାଜାଙ୍କ ୭୯ ତମ ପ୍ରାକଟ୍ୟ ଦିବସ ଅବସରରେ ଗୋବର୍ଦ୍ଧନ ପୀଠର ଅନ୍ତେଃବାସୀ ଓ ମୁକ୍ତି ମଣ୍ଡପ ପଣ୍ଡିତ ମାନଙ୍କ ଦ୍ୱାରା ପ୍ରାତଃ ରୁଦ୍ରାଭିଷେକ, ବୃକ୍ଷ ରୋପଣ ପରେ ଏକ ଅନୁଭବ ବ୍ୟାଖ୍ୟାନ ଗୋଷ୍ଠୀ ଆୟୋଜନ କରାଯାଇଥିଲା । ଏହି ଗୋଷ୍ଠୀ ରେ ଉପସ୍ଥିତ ବୁଦ୍ଧିଜୀବୀ, ଭକ୍ତବୃନ୍ଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ଓ ପୀଠ ପରିଷଦର ପ୍ରତିନିଧି ମାନେ ଗୁରୁଦେବଙ୍କ ସହ ନିଜ ଜୀବନ ର ଅଲୌକିକ ଅନୁବଭ ବଖାଣିଥିଲେ । ୧୯୯୨ ମସିହାରେ ଆଚାର୍ଯ୍ୟ ପାଦ ପୁରୀ ପୀଠରେ ପଦାର୍ପଣ କରିବା ପରେ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗ ରେ ଏ ପୀଠର ଅନେକ ଉନ୍ନତି ଘଟିଛି । ପୁରୀ କୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ପୂଜ୍ୟ ପାଦ ନିଜର ସମସ୍ତ ପ୍ରଚେଷ୍ଟା ଅବ୍ୟାହତ ରଖିଥିବା ପ୍ରତିବର୍ଷ ଚତୁର୍ମାସ୍ୟା ବ୍ରତ ପାଳନ ହେଉ କିମ୍ବା ମହୋଦଧି ଆଳତି ଏହାର ଅନନ୍ୟ ଉଦାହରଣ ମାତ୍ର । ଏହି ପ୍ରାକଟ୍ୟ ଦିବସର ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ, ଜଗତର କଲ୍ୟାଣ ବ୍ୟାଧି ନିବାରଣ ମନ୍ତ୍ର ପାଠ କରାଯାଇ ଅତି ନିରାଡାମ୍ବର ଭାବରେ କରୋନା କଟକଣାକୁ ସମ୍ମାନ ଦେଇ ସାମାଜିକ ଦୂରତା ସହିତ ରାଷ୍ଟ୍ରୋତ୍କର୍ଷ ଦିବସ ପାଳନ କରାଯାଇଛି । ଏହି ଉତ୍ସବକୁ ପରିଚାଳନା କରିଥିଲେ ଆଦିତ୍ୟ ତ୍ରିପାଠୀ, ସୁୟସ ବ୍ରହ୍ମଚାରୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଉପାଧ୍ୟକ୍ଷ ପଣ୍ଡିତ ବିଶ୍ଵନାଥ ମିଶ୍ର, ଆଚାର୍ଯ୍ୟ ଗୋପାଳ ମହାପାତ୍ର, ଆଚାର୍ଯ୍ୟ ବିଜୟ ଦାଶ, ଆଦିତ୍ୟ ବାହିନୀ ର ଅଜୟ ଗୋଛିକାର, ସୁଧାଂଶୁ ଶେଖର ମହାନ୍ତି, ମାଗୁଣି ସାହୁ, ଦେବିଶିଷ ମିଶ୍ର, ରବିନାରାୟଣ ପଣ୍ଡା, ଗଣେଶ୍ୱର ମହାସୁଆର, ବଣ୍ଟି ପାସୋରିଆ, ଜଗଦୀଶ ଆଚାର୍ଯ୍ୟ, ଆନନ୍ଦ ବାହିନୀ ର ଚିନ୍ମୟୀ ଓ ଅନୁରାଧା ଭଉଣୀ ପ୍ରମୁଖ।