-
୧୬,୧୩୦ ଟଙ୍କା ଓ ୫ ମୋବାଇଲ ଜବତ

ମୁଖୀଗୁଡା, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ବ୍ୟାପକ ସଟ୍ଟା ଖେଳ ଚାଲୁଥିବା ବେଳେ ଗତକାଲି ରାତିରେ ଜୟପାଟଣା ପୋଲିସ ପକ୍ଷରୁ ବଡ଼କୁଟୁରୁ ଏବଂ ବିଜମରା ଗ୍ରାମରେ ଚଢ଼ଉ କରାଯାଇ ସଟ୍ଟା ଡ଼ନ ସହ ତାର ୩ ସହଯୋଗୀଙ୍କୁ ଗିରଫ କରାଯାଇଛି ।ଗତକାଲି ରାତିରେ ଜୟପାଟଣା ପୋଲିସ ସଟ୍ଟା ଖେଳ ସମ୍ପର୍କରେ ସୂଚନା ପାଇ ବଡକୁଟୁରୁ ଏବଂ ବିଜମରା ରେ ଚଢ଼ଉ କରିଥିଲା । ଘଟଣାରେ ମୁଖୀଗୁଡାରେ ରହୁଥିବା ଉପେନ୍ଦ୍ର ସାଗର(୪୨), ବଡକୁଟୁରୁ ଗ୍ରାମର ଦାଶରଥି ମାଝୀ (୪୧) ଓ ମିଲନ ବାରିକ (୨୧) ଏବଂ ବିଜମରା ଗ୍ରାମର କ୍ଷେତ୍ରମୋହନ ନାଏକ(୩୯)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧୬,୧୩୦ ଟଙ୍କା ୫ ଟି ମୋବାଇଲ ଫୋନ ଓ ସଟ୍ଟା ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଛି । ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି, ହେଲେ ଜୟପାଟଣା ରାଜରାସ୍ତା କଡରେ ଏକ ସଟ୍ଟା କାର୍ଯ୍ୟାଳୟ ଖୋଲାଯାଇଛି ସେଠାକୁ ଲୋକେ ଖୋଲା ଖୋଲି ସଟ୍ଟାଖେଳ ପାଇଁ ଟଙ୍କା ବାନ୍ଧିବା ପାଇଁ ଯାଉଛନ୍ତି ଏବଂ ଟଙ୍କା ଆଣିବା ପାଇଁ ମଧ୍ୟ ଯାଉଛନ୍ତି । ହେଲେ ଏହି କାର୍ଯ୍ୟାଳୟ ସମ୍ପର୍କରେ ପୁଲିସ କିପରି ଟେର୍ ପାଇ ପାରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜୟପାଟଣାରେ ଖୋଲା ଖୋଲିଭାଭେ ଚାଲୁଥିବା ସଟ୍ଟାଖେଳ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।