
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ପଞ୍ଚାୟତର କରଡ଼ାପାଳ ତଳସାହି ନିକଟରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗତ ବୁଧବାର ସନ୍ଧ୍ୟା ସମୟରେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାପାଇଁ ଯାଇ ବଜ୍ରାଘାତରେ ଯୁବକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।ମିଳିଥିବା ଖବର ଅନୁଯାୟୀ, ହରିଚନ୍ଦନପୁର ଥାନା ଗୌଣିଘଷା ଗ୍ରାମର ରଞ୍ଜନ ଦେହୁରୀଙ୍କ ପୁଅ ପ୍ରହଲ୍ଲାଦ ଦେହୁରୀ (୨୮) ନିଜ ଶ୍ବଶୁରଘର କରଡାପାଳକୁ ଆସିଥିଲେ । ସେଠାରୁ ତଳସାହି ସମ୍ପର୍କିୟଙ୍କ ବାହାଘରରେ ଯୋଗ ଦେବାପାଇଁ ଯାଉଥିଲେ । ହେଲେ ଯିବା ସମୟରେ ଲଗାଣ ବର୍ଷା ସହ ବଜ୍ରାପାତ ଯୋଗୁଁ ଅଧା ରାସ୍ତାରେ ଜଣକ ବାରଣ୍ଡାରେ ଅଟକି ରହିଥିଲେ । ଅଚାନକ ବଜ୍ରାଘାତର ଶିକାର ହୋଇ ସେ ସେହିଠାରେ ଟଳି ପଡ଼ିଥିଲେ । ଏହି ଅବସ୍ଥାରେ ଦେଖି ସେଠାକାର ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।