-
ଫନି ବାତ୍ୟାର ୨ ବର୍ଷ ପରେ ମଧ୍ୟ ପୁରୀଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିନୀ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପୁରୀ ଜିଲ୍ଲା ଦେଶ ବିଦେଶରେ ପରିଚିତ। ଦୈନିକ ହଜାର ହଜାର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପୁରୀ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର କହିଲେ ମୁଖ୍ୟତଃ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିର କୁ ବୁଝାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଫନି ବାତ୍ୟା ପର ଠାରୁ ଦୀର୍ଘ ଦୁଇ ବର୍ଷ ହେବ ପୁରୀ କୋଣାର୍କ ବେଳାମାର୍ଗ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ। ଆଲୋକିକରଣ ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଫନି ରେ ଭାଙ୍ଗିଥିବା ପ୍ରତ୍ୟେକ ପ୍ରମୁଖ ଛକ ମାନଙ୍କର ହାଇମାସ୍କ ଲାଇଟ୍ ଏବେ ବି ଭଗ୍ନ ଅବସ୍ଥାରେ ରହିଛି।
ସନ୍ଧ୍ୟା ପରେ ରାସ୍ତା ଅନ୍ଧକାର ରହୁଥିବାରୁ ଯାତାୟାତ କରୁଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଅନେକ ସମୟରେ ଲୁଟର ଶିକାର ହେଉଛନ୍ତି। ମହିଳା ଏବଂ ଛାତ୍ରଛାତ୍ରୀ ସନ୍ଧ୍ୟା ପରେ ଉକ୍ତ ରାସ୍ତା ମଧ୍ୟରେ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଅନ୍ଧକାର ମଧ୍ୟରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି ଏବଂ ଅନେକ ସମୟରେ ଯାତ୍ରୀ ମାନେ ମୃତ୍ୟୁବରଣ କରିଥିବା ମଧ୍ୟ ନଜର ରହିଛି। ଏହାଦ୍ବାରା ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ପୁରୀ ର ଭିତ୍ତିଭୂମି ପ୍ରତି ଖରାପ୍ ମନୋଭାବ ସୃଷ୍ଟି ହେବା ସ୍ବାଭାବିକ।
ଦ୍ବିତୀୟତଃ ଉକ୍ତ ରାସ୍ତା ଅଭୟାରଣ୍ୟ ଅଞ୍ଚଳ ମଧ୍ୟ ଦେଇ ଯାଉଛି, ଯାହାଫଳରେ ରାତ୍ର ଅନ୍ଧାରରେ ବନ୍ୟଜନ୍ତୁ ବିଶେଷ କରି ବିରଳ ହରିଣ ମାନେ ରାସ୍ତା ଉପରକୁ ଚାଲି ଆସନ୍ତି ଏବଂ ଦୁର୍ଘଟଣାର ଶିକାର ହେଉଛନ୍ତି, ଯାହା ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ସବୁ ସମସ୍ୟା କୁ ନେଇ ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର, ବେଲଦଳ, ବେଲେଶ୍ୱର ପାଟଣା, ମୋହିନୀ ପୁର, ବାଲି ଗୁଆଳି, ନାଗା ପାଟଣା ଗ୍ରାମର ଅଧିବାସୀ ଗଣ ପ୍ରାୟ ଏକ ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର Association of Twitter Activists ସହଯୋଗ ରେ ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କୁ ପ୍ରଦାନ କରିଥିଲେ। ମାନନୀୟ ଜିଲ୍ଲାପାଳ ଗ୍ରାମବାସୀ ଙ୍କ ଦାବିପତ୍ର କୁ ଗ୍ରହଣ କରି ଖୁବ୍ ଶୀଘ୍ର ସେ ଅଞ୍ଚଳ ରେ ଆଲୋକିକରଣ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟ ରେ ଗ୍ରାମବାସୀ ଙ୍କ ତରଫରୁ ଗ୍ରାମର ସଦସ୍ୟ ତାପସ ମାଳ, ତପନ ସାହୁ, ସୂର୍ଯ୍ୟସିଶ୍ ପ୍ରଧାନ, ହିତେଶ ପ୍ରଧାନ, କୃଷ୍ଣ ପ୍ରଧାନ ଉପସ୍ଥିତ ଥିଲେ।