କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଜୀବନ ଜୀବିକା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି,ସିପ ସରୁବାଲି ତରଫରୁ ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ସୂଚନା ଅନୁସାରେ
ପୁରୀରେ ନିର୍ମାଣ ହେବାକୁ ଯାଉଥିବା ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପ ସରୁବାଲି ମୌଜା ଚିହ୍ନଟ ହେବାର ଖବର ପ୍ରକାଶ ପାଇବା ପରେ, ଅଞ୍ଚଳର ବିକାଶ ହେବ ଆଶା କରି ଲୋକମାନେ ଉତ୍ସାହିତ ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ସୁନାମି ଇତ୍ୟାଦି) ରେ ଜୀବନ ପ୍ରତି ବିପଦ, ପରିବେଶ ସନ୍ତୁଳନ ନଷ୍ଟ ଏବଂ ଜଙ୍ଗଲ ଜମି ଉପରେ ନିର୍ଭର
କରି ଚଳୁଥିବା ସ୍ଥାନୀୟ ବାସିନ୍ଦା ମାନେ ଜୀବିକା ହରାଇବା ଆଶଙ୍କା କରି ଭୟଭୀତ ମଧ୍ୟ ହୋଇଛନ୍ତି।
ପ୍ରଭାବିତ ହେଉଥିବା କ୍ଷୁଦ୍ର ଚାଷୀ, ଭୂମିହୀନ, ଗରିବ ସାଧାରଣ ଲୋକଙ୍କ ଗାରିମା ପୂର୍ଣ୍ଣ ଜୀବନ ଜୀବିକା ର ମୌଳିକ ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ସରକାର ଓ ପ୍ରଶାସନର ନୈତିକ
ଏବଂ ସାମ୍ବିଧାନିକ ଦାୟିତ୍ଵ |
ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି , ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମାନଙ୍କ ସଂଗଠନ (ଜୀବନ ଜୀବିକା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି, ସିପ ସରୁବାଲି) ର ସଦସ୍ୟ
ମାନେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦାବୀ ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପ୍ରମୁଖ ଦାବି ଗୁଡିକ :-
(୧)ବିମାନ ବନ୍ଦର ନିର୍ମାଣ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଭାବିତ ହେଉଥିବା ସ୍ଥାନୀୟ ବାସିନ୍ଦା, ଭୂମି ହରାଉଥିବା ଚାଷୀ , ଭୂମିହୀନ ଗରିବ ଜନସାଧାରଣ ଏବଂ ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ସ୍ଥାନୀୟ ବ୍ୟକ୍ତି ଓ
ସଂଙ୍ଗଠନ ମାନଙ୍କ ସହିତ ବ୍ୟାପକ ଆଲୋଚନା କରି ସହମତି ନିଆଯାଉ ।
(9) ପ୍ରାକୃତିକ ସମ୍ପଦର ଅତି ସ୍ୱଳ୍ପ ବିନିଯୋଗ ଓ ଦୋହନ କରାଯାଉ।
(୩) ପରିବେଶ ସୁରକ୍ଷା ଓ ସନ୍ତୁଳନ ବଜାୟ ରଖିବା ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ସଚେତନ ଓ ପ୍ରୋତ୍ସାହନ କରାଯାଉ ।
(୪)ସାମୁଦ୍ରିକ ଝଡ଼ ଓ ସୁନାମି ଭଳି ବିପଦ ଓ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କୃତ୍ରିମ ପ୍ରତିବନ୍ଧକ ବ୍ୟବସ୍ଥା କରାଯାଉ।
(୫) ଜମି ହରାଉଥିବା ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ।
(୬) ଜୀବିକା ପ୍ରଭାବିତ ହେଉଥିବା ସ୍ଥାନୀୟ ଭୂମିହୀନ ଗରିବ ଲୋକମାନଙ୍କ ପାଇଁ ସ୍ଥାୟୀ କର୍ମ ନିଯୁକ୍ତି ବ୍ୟବସ୍ଥା କରାଯାଉ।
(୭) ବିମାନ ବନ୍ଦରରେ ଶ୍ରମିକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିବା ପାଇଁ ପ୍ରଭାବିତ ଲୋକଙ୍କୁ ଅଗ୍ରାଧିକାର ଦିଆଯାଉ।
ଏହି ଦାବିପତ୍ର ପ୍ରଦାନ ସମୟରେ ଜୀବନ ଜୀବିକା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତିର ଆବାହକ ଗୋପାଳ ପ୍ରଧାନ, ଶ୍ରୀକ୍ଷେତ୍ରବାସୀ ପ୍ରଧାନ,ଯୁଧିଷ୍ଠିର ଦାସ,ରାମଚନ୍ଦ୍ର ନାୟକ,ଶ୍ରୀକାନ୍ତ ପରିଡା,ପବିତ୍ର ମୋହନ ଦଳାଇ,ବଳଭଦ୍ର ବରାଳ ପ୍ରମୁଖ ଉପସ୍ଥିତ ଥିଲେ |