● ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ
● କହିଲେ, ଗ୍ରାମାଞ୍ଚଳ ମହିଳା ମାନଙ୍କ ପାଇଁ କାମ କରିବେ
ବାଲେଶ୍ଵର,୨୮/୬(କୃଷ୍ଣ କୁମାର ମହାନ୍ତି): ରାଜ୍ୟ ବିଜୁ ମହିଳା ଜନତା ଦଳକୁ ସୁସଂଗଠିତ କରିବା ପାଇଁ ଏହାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ତୃଣମୂଳସ୍ତରରେ ମହିଳା ସଂଗଠନକୁ ଅଧିକ ଦୃଢୀଭୂତ କରିବା ପାଇଁ ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ଵର ଜିଲ୍ଲାର ଲୋକପ୍ରିୟ ନାରୀନେତ୍ରୀ ସୁବାସିନୀ ଜେନାଙ୍କୁ ଦାୟିତ୍ୱ ଦେଇଛନ୍ତି।
ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ସୁବାସିନୀ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି।ବାଲେଶ୍ଵର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସହଧର୍ମିଣୀ ସୁବାସିନୀ ଜେନା ସମାଜସେବା ପାଇଁ ବାଲେଶ୍ଵର ତଥା ସମଗ୍ର ଉତ୍ତର ଓଡିଶାରେ ବେଶ୍ ଆଦରଣୀୟା। ବହୁ ପୂର୍ବରୁ ଶ୍ରୀମତୀ ଜେନା ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ତେବେ ଶ୍ରୀମତୀ ଜେନାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରା ଯାଇଥିବା ବେଳେ ବାଲେଶ୍ଵର ସହର ଓଟି ରୋଡ଼ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡି କର୍ମୀ ଏବଂ ଶୁଭେଚ୍ଛୁମାନେ ସମ୍ବର୍ଦ୍ଧନା ଜଣାଇଥିଲେ।
ରାଜ୍ୟସ୍ତରରେ ନୂଆ ଦାୟିତ୍ୱ ପାଇବା ପରେ ସୁବାସିନୀ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଦଳର ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏବଂ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହିତ ମହିଳାମାନଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ଯେତିକି ଦିନ ପର୍ଯ୍ୟନ୍ତ କାମ କରିବାର ଶକ୍ତି ଥିବ ସେପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ କାମ କରିବି। ବିଶେଷକରି ଗ୍ରାମାଞ୍ଚଳ ମହିଳାମାନଙ୍କ ଦକ୍ଷତା ବିକାଶ କରାଯିବା ଉପରେ ମୁଁ ଅଧିକ ଗୁରୁତ୍ବ ଦେବି ବୋଲି ଶ୍ରୀମତୀ ଜେନା ତାଙ୍କ ପ୍ରତିକ୍ରିୟାରେ ‘ଓଡିଆ ବାର୍ତ୍ତା’କୁ ଜଣାଇଛନ୍ତି।