ପୁରୀ, ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିବସ୍ତ୍ର ଓଦା ହୋଇଥିଲା । ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବାରେ ଥିବା ପାଳିଆ ଦଇତାପତି ମାନେ ଏହି ଓଦା ବସ୍ତ୍ରକୁ ଫିଟାଇଛନ୍ତି । ଏହାପରେ ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଥିବା ନେଇ ଦଇତାପତିଙ୍କ ସୂତ୍ରରୁ ଜଣାପଡିଛି । ଦେଉଳ ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଜୀଉଙ୍କ ଚେରମୂଳିଭିତିକ ଆୟୁର୍ବେଦ ଚିକିତ୍ସା କରାଯାଉଛି । ପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେଉଛି । ସ୍ନାନ ପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଓ ଅଣସର ବିଧି ୧୫ ଦିନ ଧରି ପାଳିତ ହୋଇଥାଏ । ଓଦା ବସ୍ତ୍ର ଫିଟା, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ଓଷ ଲାଗି, ଖଳି ଲାଗି, ଚକା ଅପସର, ଖଡ଼ି ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥାଏ ।