ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସୁବକ୍ତା ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ଓଡିଶାର ଅନେକ ସଂଗ୍ରାମୀମାନଙ୍କ ଜୀବନାଦର୍ଶ ଇତିହାସରେ ସ୍ଥାନିତ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଯୁବପୀଢି ଏ ଦିଗରେ ସ୍ୱେଚ୍ଛାକୃତ ଗବେଷଣା କରି ଅନାଲୋଚିତ ପ୍ରସଙ୍ଗଗୁଡିକୁ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିବା ତଥା ଏକ ବୀର ଜାତିର ଗୌରବ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ ।
ଏଥିରେ ଯୋଗଦେଇ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ପାଇକ ବିଦ୍ରୋହକୁ ଜାତୀୟ ଜାଗରଣର ପ୍ରଥମ ପାହାଚ ବୋଲି ଅଭିହିତ କରିଥିଲେ । ଏଥିପାଇଁ ସାହିତ୍ୟ ଏକାଡେମୀ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।
ୱେବିନାରରେ ଅଧ୍ୟକ୍ଷତା କରି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ଦେଶର ମୁକ୍ତି ସଂଗ୍ରାମର ଅୟମାରମ୍ଭ ବୋଲି କହିଥିଲେ । ଶ୍ରୀ ଚୌଧୁରୀ ଆଜି ଖୋର୍ଦ୍ଧାଠାରେ ପାଇକ ବିଦ୍ରୋହର ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହାର ସୁପୁତ୍ରମାନଙ୍କ ଅମୂଲ୍ୟ ବଳିଦାନର ସ୍ମୃତିଚାରଣ କରିଥିଲେ ।
ଭୁବନେଶ୍ୱରସ୍ଥିତ ଆଂଚଳିକ ଜନସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିଥିବାବେଳେ, ପତ୍ରସୂଚନା କାର୍ଯ୍ୟାଳୟ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ । କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।