-
‘ଜରୁରିକାଳୀନ ପରିସ୍ଥିତି’ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାତୃଭୂମିର ସ୍ୱାଧୀନତା ପାଇଁ ଶହ ଶହ ସଂଗ୍ରାମୀ, ବୀର ସୈନିକ ବ୍ରିଟିଶ ବିରୋଧରେ ଲଢ଼ି ନିଜର ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ଦେଇଥିଲେ । ୪୬ ବର୍ଷ ପୂର୍ବେ ଆଜିର ଦିନରେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରିକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିଲେ । ସେହି ସମୟରେ ଦେଶର ନେତା, ଛାତ୍ରଛାତ୍ରୀ, ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଆମକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ହେବ । ଆଜିର ଦିନକୁ ଆମେ ପାଳୁଥିବା କଳା ଦିବସକୁ ନା କେବେ ଭୁଲାଯାଇପାରିବ ନା କେବେ କ୍ଷମା ଦିଆଯାଇପାରିବ । ଆଜିର ଯୁବ କାର୍ଯ୍ୟକର୍ତା ମାନେ ଏହାକୁ ଅନୁଧ୍ୟାନ କରିବା ଦରକାର ।
ଜରୁରୀକାଳିନ ପରିସ୍ଥିତି ଲାଗୁ କରି ଇନ୍ଦିରା ଗାନ୍ଧି ଦେଶରେ ଏକଛତ୍ରବାଦ ଶାସନ କରିଥିଲେ । ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଆସ୍ଥା ଅତ୍ୟାଚାରରେ ପରିଣତ ହୋଇଥିଲା । କ୍ଷମତା ଲୋଭରେ ଜରୁରୀକାଳୀନ ପରିସ୍ଥିତି ଜାରୀ କରିବା ଥିଲା ମୂଳ ଉଦ୍ଦେଶ୍ୟ । ୧୯୭୫ ମସିହା ଜୁନ ୧୨ରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ । ସାଧାରଣ ଜନତାଙ୍କୁ ସାମ୍ନା କରିବାରେ ଅସମର୍ଥ ଇନ୍ଦିରା ଗାନ୍ଧି ୧୯୭୫ ମସିହା ଜୁନ ୨୫ ରେ ରାତାରାତି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ । ସମ୍ବାଦପତ୍ର ସଂସ୍ଥାର ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ରାଜନୈତିକ ପ୍ରତିଦ୍ୱନ୍ଦୀ ଯଥା ଜର୍ଜ ଫର୍ଣ୍ଣାଡିସ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ନେତାଙ୍କୁ ବନ୍ଦୀ କରି ରଖିବା ସହ ଲୋକଙ୍କ ବାକ୍ ସ୍ୱାଧୀନତା ତଥା ମୌଳିକ ଓ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା ।
ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର ପରେ ୧୯୭୭ରେ ଲୋକସଭା ନିର୍ବାଚନ ହୋଇଥିଲା । କିନ୍ତୁ ଭାରତର ଜନତା ଶ୍ରୀମତି ଗାନ୍ଧିଙ୍କୁ କ୍ଷମତା ଆସନରୁ ଗାଦିଚ୍ୟୁତ କରିଥିଲେ । ପୁଣି ଥରେ ଇନ୍ଦିରା ଗାନ୍ଧିଙ୍କ ଅତ୍ୟାଚାର ବିରୋଧରେ ଗଣତନ୍ତ୍ରର ବିଜୟ ହୋଇଥିଲା । ମୋରାଜୀ ଦେଶାଇ ଭାରତର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ପ୍ରଜାତନ୍ତ୍ରରେ ସମାଲୋଚନା ଏବଂ ତର୍କବିତର୍କ ହେବ । ପ୍ରଜାତନ୍ତ୍ର ବହୁମତର ସୁନ୍ଦରକୁ ପରିପ୍ରକାଶ କରିଥାଏ । ଅନ୍ୟ ମତକୁ ଯଥାର୍ଥତା ଦେବା ହେଉଛି ଗଣତନ୍ତ୍ରର ମୂଲ୍ୟବୋଧ । ଆମେ ମଧ୍ୟ ଆଗାମୀ ଦିନରେ ଗଣତନ୍ତ୍ରର ନିଷ୍ପତିକୁ ମୁଣ୍ଡ ପାତି ସ୍ୱୀକାର କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।