
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଜୁଆ ଖେଳର ପ୍ରଭାବ ବିସ୍ତାରିତ ହେବାରେ ଲାଗିଛି । ଫଳରେ ଜିଲ୍ଲାରେ ଚୋରି, ଡ଼କାୟତି, ହତ୍ୟାକାଣ୍ଡ ଏବଂ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଇବା ସହ ବହୁ ଲୋକ ସର୍ବସ୍ୱାନ୍ତ ହେଉଥିବା ଜଣାପଡିଛି । ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଥିଲେ ମଧ୍ୟ ଏହାର ଅବସାନ ଘଟୁନାହିଁ । ଗତକାଲି ହିଞ୍ଜିଳିକାଟୁ ପୋଲିସ ଏହି ଥାନା ଅନ୍ତର୍ଗତ ବରପଲ୍ଲୀ ଆମ୍ବତୋଟାରେ ଜୁଆ ଖେଳ ଚାଲିଥିବା ଖବର ପାଇ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ସେଠାରୁ ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୯୧ ହଜାର ଟଙ୍କା ଏବଂ ୧୦ଟି ବାଇକ୍ ଓ ଦୁଇ ମୁଠା ତାସ୍ ଜବତ କରିଛି । ଏ ସଂକ୍ରାନ୍ତରେ ହିଞ୍ଜିଳି ଥାନାରେ ୨୩୫/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରିଛି ପୋଲିସ ।