
ଏମିତି ଏକ ନଳକୂଅ ଯେଉଁଥିରୁ ପାଣି ବାହାରିବା ସହିତ ଗ୍ୟାସ ବି ବାହାରୁଛି । ଆଉ ଏହି ଗ୍ୟାସରେ ଦିଆସିଲି କାଠି ଲଗାଇଲେ ପାଣିବି ହୁତୁହୁତୁ ହୋଇ ଜଳୁଛି । ଯାହାକୁ ଦେଖି ଲୋକେ ଛାନିଆ । ମାଟିତଳେ ଥିବା ଏପରି ଗ୍ୟାସରୁ କୌଣସି ବିସ୍ଫୋରଣ ହେବନି ତ ?
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବାହାରସୋବଳା ଗାଁରେ ଘଟିଛି ଏକ ଅବିଶ୍ବାସନୀୟ ଘଟଣା । ଗାଁରେ ନୂଆ ଖୋଳାଯାଇଥିବା ନଳକୂଅରୁ ପାଣି ବାହାରିବା ସହିତ ଗ୍ୟାସ ବାହାରିବାରେ ଲାଗିଛି । ଏହି ଗ୍ୟାସରେ ଅଗ୍ନି ସଂଯୋଗ କଲେ ହୁତୁହୁତୁ ହୋଇ ଜଳୁଛି । ଏପରି ଅଘଟଣ ଦେଖି ଗାଁଟା ସାରା ଚିନ୍ତାରେ ପଡିଛନ୍ତି । ମାଟିତଳେ କି ପ୍ରକାରର ଗ୍ୟାସ ମହଜୁଦ ରହିଛି ଓ ଭବିଷ୍ୟତରେ ଏହି ଗ୍ୟାସ କୌଣସି ବିସ୍ଫୋରଣର ରୂପ ନେବକି ନାହିଁ । ତାହା ସ୍ଥାନୀୟ ଲୋକ ମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି । ଗ୍ରାମବାସୀ ମାନଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଛନ୍ତି । ତଥାପି ନଳକୂଅରୁ ଗ୍ୟାସ ବାହାରିବାରେ ଲାଗିଛି । ବାହାରସୋବଳା ଗାଁର ନାରାୟଣ ମହାପାତ୍ରଙ୍କ ବାଡିରେ ଏହି ନଳକୁଅ ଖୋଳା ଯାଇଛି ବୋଲି ଜଣାପଡିଛି । ଏହି ଅଦ୍ଭୁତ ଘଟଣା ଦେଖିବାକୁ ଆଖପାଖ ଗାଁ ଲୋକଙ୍କ ଭିଡ ଲାଗିଛି