ସାମାଜିକ ଗଣମାଧ୍ୟମରେ ଅଭିଯୋଗ ପରେ ଶନିବାର ଚେତିଛି ପ୍ରଶାସନ ।ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୁଷ୍କରିଣୀର ଭାଙ୍ଗି ଯାଇଥିବା ପ୍ରାଚୀର ମରାମତି ଆରମ୍ଭ ହୋଇଛି । ଏହାଛଡ଼ା ପୁଷ୍କରିଣୀ ପଛପାର୍ଶ୍ଵରେ କାଠବାଡ କରାଯାଉଥିବା ଦେବାକୁ ମିଳିଛି । ଯଥାଶୀଘ୍ର ମରାମତି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଷ୍କରିଣୀ ଭିତରକୁ ଧସେଇ ପଶିଥିବା ସିମେଣ୍ଟ କଂକ୍ରିଟ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ତାଳିପକା କାମ ନକରି ପୁଷ୍କରିଣୀ ଚତୁଃପାର୍ଶ୍ଵ ପଥର ପ୍ରାଚୀରର ସ୍ଥାୟୀ ମରାମତି ସମେତ ଭୁଶୁଡି ପଡିଥିବା ସ୍ଥାନରେ ସିମେଣ୍ଟ କଂକ୍ରିଟ ପ୍ରାଚୀର ନିର୍ମାଣ ନିମନ୍ତେ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି । ପ୍ରାୟ ୩ବର୍ଷ ତଳେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପଛପାର୍ଶ୍ଵ ପ୍ରାଚୀର ଭୁଶୁଡି ପଡିଥିଲା । ଏହାଛଡା ଦଶାହ ତୁଠ ନିକଟରେ ରାସ୍ତା ଭୁଶୁଡି ପଡ଼ିଥିଲା । ଏଥିଯୋଗୁଁ ତାର୍ଥ ପୁଷ୍କରିଣୀ ସୁରକ୍ଷା ବିପନ୍ନ ହୋଇପଡିଥିଲା ।
ପ୍ରାଚୀର ପୁନଃନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲେ ମଧ୍ୟ କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିଦ୍ଧାରିତ ସମୟରେ କାର୍ଯ୍ୟ କରିନଥିଲେ । ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୁଷ୍କରିଣୀର ଏଭଳି ଦୁରାବସ୍ଥା ଦେଖି ସେଠାକୁ ଯାଉଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ତିକ୍ତ ଅନୁଭୂତି ନେଇ ଫେରୁଥିଲେ । କେତେକ ସଂଗଠନ ଏ ସମ୍ପର୍କରେ ଟୁଇଟର ଯୋଗେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଦୀର୍ଘଦିନ ଧରି ନିରବ ହୋଇ ବସିଥିବା ପ୍ରଶାସନର ନିଦ ଭାଙ୍ଗିଛି । ଶନିବାର ଛୁଟିଦିନ ହୋଇଥିବା ସତ୍ୱେ ଭାଙ୍ଗି ଯାଇଥିବା ପ୍ରାଚୀର ଏବଂ ରାସ୍ତା ମରାମତି ଆରମ୍ଭ ହୋଇଛି । ତେବେ ଆଖପାଖ ଅଞ୍ଚଳର କିଛି ବ୍ୟକ୍ତି ଇନ୍ଦ୍ରଦ୍ୟୁମ୍ନ ଭିତରକୁ ଆବର୍ଜନା ଜଳ ଛାଡୁଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ଜଳ ପ୍ରଦୂଷିତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଇନ୍ଦ୍ରଦ୍ୟୁମ୍ନ ପୃଷ୍ପରିଣୀର ପବିତ୍ର ଜଳ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ତେଣୁ ଏହି ଅଭିଯୋଗର ଯଥାଶୀଘ୍ର । ତଦନ୍ତ କରାଯିବା ସହ ଇନ୍ଦ୍ରଦ୍ୟୁମ ଭିତରକୁ ଆବର୍ଜନା ଜଳ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି ।