
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନିର୍ମାଣାଧୀନ ସିପସରୁବାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଗ୍ରଗତି ସଂପର୍କରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ସମୀକ୍ଷା କରିଛନ୍ତି । ୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଏହି ଆଦର୍ଶ ବିଦ୍ୟାଳୟର ପ୍ରଥମ ମହଲା ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ କରି ଚଳିତ ଶିକ୍ଷାବର୍ଷରେ ଯେଭଳି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି |ଲୁଣାନଦୀ ଉପରେ ୮ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ନିଖୁଳା ଗୋବିନ୍ଦପୁର-ମାଝିପଡ଼ା ସେତୁର ବିଳମ୍ବକୁ ନେଇ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଉଦ୍ବେଗ ପ୍ରକାଶ କରିବା ସହିତ ଏହି ସେତୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଦକ୍ଷିଣ କାଣିଆ ଉପରେ କୁଆପଦାଠାରେ ନିର୍ମିତ ହେଉଥିବା ସେତୁ ଏବଂ ଭାର୍ଗବୀ ନଦୀ ଉପରେ ବାଲିକେରା ତିନିକୁଦିଠାରେ ନିର୍ମାଣାଧୀନ ସେତୁର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।ଏହି ପ୍ରକଳ୍ପଗୁଡ଼ିକ ବିଳମ୍ବିତ ହେଉଥିବାରୁ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି ଓ ସେତୁ) ଶ୍ରୀ ପଞ୍ଚାନନ ମହାନ୍ତିଙ୍କୁ ତୁରନ୍ତ ନିର୍ମାଣାଧୀନ ସ୍ଥାନଗୁଡ଼ିକ ପରିଦର୍ଶନ କରି ବିଧିବଦ୍ଧ ନିଷ୍ପତ୍ତି ନେବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଦାସବର୍ମା ପରାମର୍ଶ ଦେଇଛନ୍ତି ।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରମେଶ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୁରୀର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାମପ୍ରସାଦ ଆଚାର୍ଯ୍ୟ, ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହରା, ପି.ଏଚ୍, ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।