କରୋନା କଟକଣା ସହ କେନ୍ଦ୍ରାପଡାରେ ରଥଯାତ୍ରା ଆୟୋଜନ କରାଯିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଅନୁରୋଧ କରିଛି ଶ୍ରୀସିଦ୍ଧ ବଳଭଦ୍ର ମନ୍ଦିର ସେବାୟତ ସଂଘ। ନିରଞ୍ଜନ ମେକାପ ଏବଂ ମଦନ ପତ୍ରିଙ୍କ ସମେତ କେତେକ ସେବାୟତ ଶୁକ୍ରବାର ପୁରୀ ଗସ୍ତରେ ଆସି ଶଙ୍କରାଚାର୍ଯ୍ୟଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ ଉତ୍କଳୀୟ ଧର୍ମ ସଂସ୍କୃତି ବିଶ୍ଵ ମାନବ ସମାଜକୁ ଶାନ୍ତି, ସଂହତି ଓ ସୌହାଦ୍ଧର ବାର୍ତ୍ତା ଦେଇ ଆସିଛି ।
ଏହି ଧର୍ମ ସଂସ୍କୃତିର ପୁରୋଧା ଭାବେ ପୁରୀ ଶଙ୍କରାଚାର୍ଯ୍ୟ ସଂକଟ ସ୍ଥିତିରେ ମାର୍ଗଦର୍ଶନ ପରି ସନାତନୀ ଉତ୍କଳୀୟ ଙ୍କୁ କୃତାର୍ଥ କରିଛନ୍ତି । ଉତ୍କଳୀୟ ପଞ୍ଚ ମହାତୀର୍ଥ ମଧ୍ୟରୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରାଚୀନ ଦୁଇକ୍ଷେତ୍ର ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଏବଂ ବ୍ରହ୍ମକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀବଳଭଦ୍ର ପ୍ରାଚୀନ କାଳରୁ ପୂଜିତ ହୋଇ ଆସୁଛନ୍ତି।ଚଳିତ କୋଭିଡ ମହାମାରୀ ପରିସ୍ଥିତିରେ କଟକଣା ଲାଗୁ କରାଯିବା ଯୋଗୁଁ ଅନେକ ସୁଧାର ଆସିଥିବାରୁ କେନ୍ଦ୍ରାପଡାରେ ପ୍ରାଚୀନ ପରମ୍ପରା ଅନୁଯାୟ ରଥଯାତ୍ରା ଆୟୋଜନ ପାଇଁ ଶ୍ରଦ୍ଧାଳୁମାନେ ଆଶାବାଦୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଅନୁକୂଳ ନିଷ୍ପତ୍ତି ସମେତ ରଥଯାତ୍ରା ଆୟୋଜନ ପାଇଁ ନିର୍ଦ୍ଦେଶ ପ୍ରଦାନ ନିମନ୍ତେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେବାକୁ ଶ୍ରୀସିଦ୍ଧ ବଳଭଦ୍ର ମନ୍ଦିର ସେବାୟତ ସଂଘ ଅନୁରୋଧ କରିଛି।