
ତୃତୀୟ ଲହର କରୋନା ସଂକ୍ରମଣ ଆଶଙ୍କା ଥିବାରୁ ସ୍ଵାସ୍ଥ୍ୟ ଭିଭିଭୂମିର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ଖୁବ୍ଶୀଘ୍ର ପୁରୀରେ ପ୍ରତିଷ୍ଠା ହେବ ତିନୋଟି ଅମ୍ଳଜାନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏଥିପାଇଁ ଭିରିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ପରିସରରେ ତରଳ ଅମ୍ଳଜାନ ସଂରକ୍ଷଣ ଓ ବଣ୍ଟନ ପ୍ରକଳ୍ପ ନିର୍ମାଣ କରାଯିବ ।ସେହିପରି ଜିଲ୍ଲା ସଦର ହସ୍ପିଟାଲରେ ତରଳ ଅମ୍ଳଜାନ ଗୋଦାମ ପ୍ରତିଷ୍ଠା କରାଯିବା ପ୍ରସ୍ତାବ ରହିଛି । ଯକ୍ଷ୍ମା ହସ୍ପିଟାଲ କୋଭିଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାପ ଅବଶୋଷଣ ପ୍ରଣାଳୀରେ ଅମ୍ଳଜାନ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅର୍ଥ ମଞ୍ଜୁର କରିଛି ।
ସେଠାରୁ ଅନ୍ୟ ସରକାରୀ ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଯାଇ ପାରିବ । ଏହି ତିନୋଟି ଅମ୍ଳଜାନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି । ଏହାଦ୍ବାରା ଜିଲ୍ଲାରେ ଅମ୍ଳଜାନ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ।ନିଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ସହ ମହାମାରୀ କରୋନା କବଳରୁ ଜୀବନ ରକ୍ଷାପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସେଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।