
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳର ଜନୈକା ନାବାଳିକା ଛାତ୍ରୀଙ୍କ ଅଶ୍ଳିଳ ଫୋଟୋ ଭାଇରାଲ୍ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଟାଉନ୍ ର ସନ୍ତୋଷ ମହାରଣା । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୯୪/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି । ନୟାଗଡ଼ର ଏକ ମହାବିଦ୍ୟାଳୟରେ ନାବାଳିକା ଛାତ୍ରୀ ଜଣକ ଅଧ୍ୟୟନ କରୁଥିବା ବେଳେ ସନ୍ତୋଷ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ପ୍ରାୟ ଦେଢ଼ ମାସ ପୂର୍ବେ ଏହି ଖବର ଜାଣିବା ପରେ ପରିବାର ଲୋକେ ଝିଅକୁ ନୟାଗଡ଼ରୁ ବୁଗୁଡ଼ା ନେଇ ଆସିଥିଲେ । ଇତିମଧ୍ୟରେ ଝିଅକୁ ଅନ୍ୟତ୍ର ବିବାହ କରିବାକୁ ପରିବାର ଲୋକେ ସ୍ଥିର କରିଥିବା ଖବର ସନ୍ତୋଷ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ କେତେକ ଅନ୍ତରଙ୍ଗ ମୂର୍ହୁତର ଫୋଟୋକୁ ଭାଇରାଲ୍ କରିଥିଲା । ଏପରିକି ଯେଉଁ ଯୁବକ ସହିତ ଝିଅର ବିବାହ ଠିକ୍ ହୋଇଥିଲା, ସେହି ଯୁବକଙ୍କ ନିକଟକୁ ମଧ୍ୟ ଛାତ୍ରୀଙ୍କ ଅଶ୍ଳିଳ ଫୋଟୋ ପଠାଇଥିଲା ସନ୍ତୋଷ । ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୁଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ଥାନାର ଅତିରିକ୍ତ ଅଧିକାରୀ ଶର୍ମିଷ୍ଠା ପ୍ରଧାନ ଘଟଣାର ତଦନ୍ତ କରି ନୟାଗଡ଼ରୁ ସନ୍ତୋଷକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।