ଗଞ୍ଜାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଅବସର ନେଉଥିବା କର୍ମଚାରୀ ଓ ଅଧିକାରୀ ମାନେ ବିଭିନ୍ନ ସମୟରେ ସେମାନଙ୍କ ପେନସନ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ମାମଲାର ସମାଧାନ ହେଉନାହିଁ । ଏଥିପାଇଁ କୂଳାଧିପତିଙ୍କ କାର୍ଯ୍ୟାଳୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ତାଗିଦ୍ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଓଏଫ (କଂଟ୍ରୋଲର ଅଫ୍ ଫାଇନାନ୍ସ) ଅନେକ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ଏଣୁ ବିତ ବିଭାଗର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ପେନସନ୍ ସମସ୍ୟା ନେଇ ପୂର୍ବରୁ ଗତ ଅପ୍ରେଲ ୨୨ ତାରିଖରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ନେଇ କୂଳାଧିପତିଙ୍କ ସହିତ ଆଲୋଚନା ହୋଇଥିଲା । ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ସହିତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ସମସ୍ୟା ଜିପିଏଫ ଓ ସିପିଏଫ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତ ପୁରୁଣା ମାମଲାର ସମାଧାନ କରି ମଇ ୨୧ ତାରିଖ ସୁଦ୍ଧା କୂଳାଧିପତିଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଏ ବିଷୟରେ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ସମସ୍ୟାର ସମାଧାନ ସମ୍ପର୍କରେ ଜଣାଇବାକୁ କୂଳାଧିପତିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ହୋଇଛି ।