
ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣର ୧ମ ପର୍ଯ୍ୟାୟ ସମୟରେ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି ହୋଇଥିଲା । ପୁଣି ଚଳିତ ବର୍ଷ ମାର୍ଚ୍ଚ ମାସରେ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି । ଗତ ୬ ମାସ ଭିତରେ ବିଦ୍ୟୁତ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇସାରିଛି । ରାଜ୍ୟ ସରକାର ଏବଂ ଘରୋଇ କଂପାନୀମାନଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇ ଏଭଳି ଅହେତୁକ ବୃଦ୍ଧି କରାଯାଇଛି ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା କାଲି ସକାଳେ ଭୁବନେଶ୍ୱର ଜିଲ୍ଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । କରୋନା ସଂକ୍ରମଣ ଜନିତ ଲକ୍ଡାଉନ / ସଟ୍ଡାଉନ କଟକଣା ଏବଂ ଗହଳି ଉପରେ ନିଷେଧ ଥିବା କାରଣରୁ ଭର୍ଚୁଆଲ ମୋଡ୍ରେ ପ୍ରତିବାଦ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।
ନିଜ ନିଜ ଅଂଚଳ ଏବଂ ଘରେ ରହି ବିଜେପି କାର୍ଯ୍ୟକର୍ତାମାନେ ଟେକ୍ନୋଲୋଜିକୁ ବ୍ୟବହାର କରି ଭର୍ଚୁଆଲ ମିଟିଂ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରିବେ । ରାଜ୍ୟ ସରକାର ତୁରନ୍ତ କୈାଣସି ପଦକ୍ଷେପ ଗ୍ରହଣ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି ।