ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପ୍ରଶାସନର ସୂଚନା ଅଧିକାର ଆଇନ୍ ପ୍ରତି ବେଖାତିର ମନୋଭାବ ନେଇ ସୂଚନା କର୍ମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ୍ ୨୦୦୫ରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ବାରମ୍ବାର ଘୋଷଣା କରୁଛନ୍ତି । ହେଲେ କିଛି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲକାରୀମାନେ ଏହି ଆଇନ୍ ପ୍ରତି ବେଖାତିର୍ ମନୋଭାବ ପ୍ରଦର୍ଶନ କରି ସୂଚନା ମାଗୁଥିବା ବ୍ୟକ୍ତିମାନଙ୍କୁ ତଥ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ଏହି ପରିସ୍ଥିତିରେ ଆବେଦନ କାରୀମାନେ ବାଧ୍ୟ ହୋଇ ମାନ୍ୟବର ସୂଚନା କମିଶନରଙ୍କ ନିକଟରେ ୨ୟ ଆବେଦନ କରି ନ୍ୟାୟ ପାଇଁ ସେଠାରେ ମାମଲା ରୁଜ୍ଜୁ କରୁଥିବା ଦେଖିବାକୁ ମିଳୁଛି ।
ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ବ୍ଲକର ବିନିଦା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ କାର୍ଯ୍ୟରେ ଶ୍ରମିକମାନଙ୍କୁ ଅଣଦେଖା କରାଯାଇଛି । ଏଥିସହ ମେସିନ ସାହାଯ୍ୟରେ କାର୍ଯ୍ୟ କରାଯାଇ ଜବକାର୍ଡରେ ଶ୍ରମିକଙ୍କ ମଜୁରୀ ଉଠାଯାଇଛି । ଏପରି ଅନିୟମତାକୁ ବିରୋଧ କରି ପଞ୍ଚାୟତର ସଭ୍ୟ ଭଗବାନ ମହାନ୍ତ ସୂଚନା ଅଧିକାର ଆଇନରେ ୨୦୨୧ ମସିହା ଅପ୍ରେଲ ମାସ ୧୦ ତାରିଖ ତଥ୍ୟ ମାଗିଥିଲେ । କାର୍ଯ୍ୟାଳୟରେ ଥିବା ଜନ ସୂଚନା ଅଧିକାରୀ (ପିଆଇଓ) ଦୁର୍ନୀତିର ପର୍ଦ୍ଦାଫାଶ ହୋଇଯିବା ଭୟରେ ସମୟ ସୀମା ଭିତରେ ତଥ୍ୟ ପ୍ରଦାନ କଲେନାହଁ । ତେଣୁ, ସୂଚନା କର୍ମୀ ବାଧ୍ୟ ହୋଇ ମଇ ମାସ ୧୨ ତାରିଖରେ ଡାକ ଯୋଗେ ଘଟଗାଁ ବ୍ଲକର ପ୍ରଥମ ସୂଚନା ଅଧିକାରୀଙ୍କୁ ଆବେଦନ ପତ୍ର ଦାଖଲ କରିଥିଲେ । ଉକ୍ତ ଆବେଦନକୁ ୧୩.୫.୨୦୨୧ରେ ସୂଚନା ଅଧିକାରୀ ଗ୍ରହଣ କରି ଶୁଣାଣି ପାଇଁ ସୂଚନା କର୍ମୀଙ୍କୁ ଡାକିଥିଲେ । ହେଲେ ଏହାପରେ କର୍ତ୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ନେଇଥିବା ତାହା ଜଣାପଡୁନାହିଁ ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାପାଳ ସୂଚନା ଅଧିକାର ଆଇନର ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ଘଟଗାଁ ବ୍ଲକ୍ ପ୍ରଶାସନ ସୂଚନା ଆଇନ୍ ପ୍ରତି ବେଖାତିର୍ ମନୋଭାବ ରଖାଯାଉଛି । ଯାହାଦ୍ବାରା ଅଧିକାରୀମାନେ କେତେ ଦୂର ଯତ୍ନବାନ ହେଉଥିବେ ତାହା ସହଜେ ଅନୁମେୟ । ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନନେଲେ ଆବେଦନକାରୀ ଓଡିଶା ସୂଚନା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏଡାଇ ଦିଆଯାଇନପାରେ ବୋଲି ଆବେଦନକାରୀ ଭଗବାନ ମହାନ୍ତ ପ୍ରକାଶ କରିଛନ୍ତି ।