
ନୂଆପଡା – ନୂଆପଡା ଜିଲ୍ଲାର ଚାଷି ଗତ ୨୦୧୭ ଆର୍ଥିକ ବର୍ଷରେ ବୀମା କରି ସେମାନଙ୍କ ବୀମା ରାଶି ଆଜି ପର୍ଯ୍ୟନ୍ତ ପାଇନାହାନ୍ତି । ଜିଲ୍ଲାର ମୋଟ ୧୩୫୦ ଜଣ ଚାଷୀ ସେମାନଙ୍କ ବୀମା ରାଶି ପାଇନଥିବା ଜଣାପଡିଛି । ଜିଲ୍ଲାର ବୋଡେନ ବ୍ଲକରୁ ୫୯୨ ଜଣ, ସିନାପାଲି ବ୍ଲକରୁ ୧୦୧ ଜଣ, ଖଡିଆଳ ବ୍ଲକରୁ ୪୦୩ ଜଣ, ନୂଆପଡା ବ୍ଲକରୁ ୯୭ ଜଣ ଏବଂ କୋମନା ବ୍ଲକରୁ ୧୫୭ ଜଣ ଚାଷୀ ବୀମା ରାଶି ପାଇନଥିବା ଜିଲ୍ଲା କୃଷି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଅନେକ ଚାଷୀଙ୍କ ତଥ୍ୟ ଜିଲ୍ଲା କୃଷି ବିଭାଗରେ ନଥିବାରୁ ସଠିକ୍ ତଥ୍ୟ ଜଣାପଡିନଥିବା ବେଳେ ଜିଲ୍ଲାରେ ପାଖାପାଖି ୩ ହଜାର ଚାଷୀ ସେମାନଙ୍କ ବୀମା ରାଶି ପାଇନଥିବା ଅଭିଯୋଗ ହୋଇଆସୁଛି । ଏନେଇ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଲମ୍ବୋଦର ନିଆଲ, ନୂଆପଡା ଜିଲ୍ଲାପାଳ ଡଃ ମଧୁସ୍ମିତା ସାହୁଙ୍କ ସମେତ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଓ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କୁ ୨୦୧୭ର ଫସଲ ବୀମା ସହ ୨୦୧୮ ର ଫସଲ ବୀମା ରାଶି ପ୍ରଦାନରେ ସହାୟକ ହେବାକୁ ଜିଲ୍ଲାବାସୀ ଦାବୀ କରିଛନ୍ତି ।