ପୁରୀ,ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏୟାରପୋର୍ଟ କର୍ତୃପକ୍ଷଙ୍କ ପକ୍ଷରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍ ପୁରୀ ଆସି ଜିଲ୍ଲା ପ୍ରଶାସନ ସହଯୋଗରେ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଛକ ନିକଟରେ ଜାଗା ପରିଦର୍ଶନ କରିଛନ୍ତି । ଏଥି ସହ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ନିକଟରେ ରହିଥିବା ଏକ ସ୍ଥାନକୁ ମଧ୍ୟ ଚିହ୍ନଟ କରିବା ସହ ସମ୍ପୃକ୍ତ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ସର୍ଭେ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରିୟ ନଗର ଭାବେ ଗଢ଼ି ତୋଳିବା ପାଇଁ ଏଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର କର୍ମକର୍ତା ମାନେ ସମ୍ପୃକ୍ତ ଅଂଚଳ ବୁଲି ଦେଖିଛନ୍ତି ।