
ଗଞ୍ଜାମ,ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମଗ୍ରହଣ କରିଛି । ଶିଶୁର ନାକ ନଥିବା ବେଳେ କପାଳ ମଝିରେ ଗୋଟିଏ ବଡ ଆଖି ରହିଛି । ସେଥିରେ ଦୁଇଟି ଡ଼ୋଳା ରହିଛି । ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମକେସିଜି ମେଡ଼ିକାଲ କଲେଜର ବରିଷ୍ଠ ଶିଶୁରୋଗ ବିଭାଗ ଡ଼ାକ୍ତର ସୁନିଲ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଭଳି ଶିଶୁକନ୍ୟା ଜନ୍ମଗ୍ରହଣ ଘଟଣା ଏମକେସିଜି ମେଡ଼ିକାଲରେ ପ୍ରଥମ ବୋଲି ଜଣାପଡିଛି । ଜେନେଟିକ୍ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ ଏଭଳି ହୋଇଥାଏ ବୋଲି ଡ଼ାକ୍ତର ଅଗ୍ରୱାଲ କହିଛନ୍ତି । କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ତାମେରିଆକିଆ ଗ୍ରାମର ଗୌତମ ଦୀପଙ୍କ ପତ୍ନୀ ଯସ୍ମିନ କୁମାରୀ ଦୀପ ଗର୍ଭବତୀ ଥିବାରୁ ତାଙ୍କୁ ଏମକେସିଜି ମେଡ଼ିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତି କରାଯାଇଥିଲା । ସେ ସେଠାରେ ଏହି ଅଦ୍ଭୁତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।