ଭୁବନେଶ୍ୱର – ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହତାବ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ ଏବଂ ଓଡ଼ିଶା ସହ ତାଙ୍କ ସମ୍ପର୍କକୁ ସ୍ମରଣ କରିଥିଲେ । ଏହି ଅବସରରେ ଏକ ବିଶାଳ ସଚେତନତା ରାଲି ପ୍ରଦର୍ଶନୀ ପ୍ରାଙ୍ଗଣରୁ ବାହାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିକ୍ରମା କରିଥିଲା । ଏହି ରାଲି ମାଧ୍ୟମରେ ସ୍ୱଚ୍ଛ ଭାରତ, ସବୁଜ ଭାରତ ଏବଂ ଏକକ ପ୍ଲାଷ୍ଟିକର ବ୍ୟବହାର ବର୍ଜନ କରିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା ।
ଉଦ୍ଘାଟନୀ ସମାରୋହରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା) ଶ୍ରୀ ଶୈଳେଶ କୁମାର ମାଲବ୍ୟ, ଆଂଚଳିକ ଜନସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର, ରେଭେନ୍ସାର କୁଳସଚିବ ଶ୍ରୀ ଅଶୋକ କୁମାର ଦାସ, କଟକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଆଦି ଉପସ୍ଥିତ ଥିଲେ ।
ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରଚାର ଅଭିଯାନ ଆୟୋଜନ କରାଯାଉଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ପ୍ରଦର୍ଶନୀରେ ବାପୁଙ୍କ ଜୀବନୀ, ଦର୍ଶନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଦର୍ଶନୀ ଲାଗି ଉଭୟ ପାରମ୍ପରିକ ଏବଂ ଡିଜିଟାଲ ମାଧ୍ୟମର ଉପଯୋଗ କରାଯିବ । ଏହାଛଡ଼ା କର୍ମଶାଳା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ସ୍ୱଚ୍ଛତା ହି ସେବା”ର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯିବ । ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ ।