କେନ୍ଦୁଝର – ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ନଗରଭବନ ଠାରେ ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ତଦାରଖ ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ଏହି କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ । ଉଦବୋଧନ ଛଳରେ ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ କହିଥିଲେ ଯେ, ଡିସିସନ୍ ସପୋର୍ଟ ସିଷ୍ଟମ୍(ଡିଏସଏସ୍) ଏକ ବିପର୍ଯ୍ୟୟ ତଦାରଖ ସଫଟୱୟାର । ଯାହାଦ୍ୱାରା ସହଜରେ ଓ ସରଳ ଭାବରେ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ତଥା କ୍ଷୟକ୍ଷତି ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିହେବ । ଏହା କମ୍ପ୍ୟୁଟର ଓ ଆଣ୍ଡ୍ରୋଏଡ୍ ଫୋନ୍ ମାଧ୍ୟମରେ କରାଯାଇପାରିବ । ଏଣୁ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କମ୍ପ୍ୟୁଟର ପରିଚାଳନା କରୁଥିବା କର୍ମଚାରୀମାନେ ଡିସିସନ୍ ସପୋର୍ଟ ସିଷ୍ଟମ୍ ସହ ଭଲ ଭାବେ ଅଭ୍ୟସ୍ତ ହେବାକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ବିପର୍ଯ୍ୟୟ ପରିଚାଳନା ସହଜ ହୋଇପାରିବ ଏବଂ କ୍ଷୟକ୍ଷତିର ମାତ୍ରା କମାଯାଇପାରିବ ସେ ବୋଲି କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀମତୀ ସୁରଂଜିକା ବେହେରା ତାଲିମ ଶିବିରର ଆୟୋଜନର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ସୂଚନା ଦେଇଥିଲେ ।
ଏହି ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସବଡିଭିଜନ୍, ବ୍ଲକ୍, ତହସିଲସ୍ତରୀୟ ଅଧିକାରୀଙ୍କ ସମେତ କମ୍ପ୍ୟୁଟର ପରିଚାଳନା ସହିତ ସମ୍ପୃକ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । “ପ୍ରେଭିଷ୍ଟର” ଅନୁଷ୍ଠାନର ବିଶେଷଜ୍ଞମାନେ ଉକ୍ତ ଶିବିରରେ ତାଲିମ୍ ପ୍ରଦାନ କରିଥିଲେ । ଜିଲ୍ଲା ଆପତକାଳୀନ କାର୍ଯ୍ୟାଳୟର କର୍ମଚାରୀ ପ୍ରଭାତେନ୍ଦୁ ନାୟକ, ସତ୍ୟବତୀ ଲାଗୁରୀ, ମହାଶ୍ୱେତା ସାହୁ, ମାନସ ରଂଜନ ଜେନା, ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଉକ୍ତ ତାଲିମ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।